ଗୁମ୍ମା ଘାଟିରେ ଦୁର୍ଘଟଣା ଯୋଗୁଁ ୩୨୬ ରାସ୍ତା ଜାମ
ରାୟଗଡା, ୨୭/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା ସଦର ବ୍ଲକ ଗୁମ୍ମା ଘାଟିରେ ଗୋଟିଏ ଟ୍ରଲର ଓଲଟିବା ଯୋଗୁଁ ଜାତୀୟ ରାଜପଥ ୩୨୬ ରେ ଯାତାୟାତ ବାଧାପ୍ରାପ୍ତ ହୋଇଯାଇଛି I ଫଳରେ ଜାତୀୟ ରାଜପଥରେ ଉଭୟ ପାର୍ଶ୍ୱରେ ଶତାଧିକ ବସ୍ ଟ୍ରକ୍ ଅଟକି ରହିଛି I ହଜାର ହଜାର ଯାତ୍ରୀ ରାତି ସାରା ଜଙ୍ଗଲ ଓ ଘାଟି ରାସ୍ତାରେ ଅକଥନୀୟ ଦୁର୍ଦ୍ଦଶାରେ ସମ୍ମୁଖୀନ ହୋଇଛନ୍ତି I ଏକ ପାଇପ୍ ବୋଝେଇ ଟ୍ରଲର ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିବା ବେଳେ ମଧ୍ୟରାତ୍ରିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା I ଗୁମ୍ମା ଘାଟିରେ ଗୋଟିଏ ନିର୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ରାସ୍ତା ଜାମ ହେଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜାତୀୟ ରାଜପଥ ଅଧିକାରୀ ଏନେଇ କୌଣସି ସମାଧାନର ରାସ୍ତା ବାହାର କରୁନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ I ବାରମ୍ବାର ଦୁର୍ଘଟଣାକୁ ନେଇ ଯାତ୍ରାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ଦେଖାଦେଇଛି I ବର୍ତ୍ତମାନ କେବଳ ଛୋଟିଆ ଗାଡି ଓ ବାଇକ ଏହି ରାସ୍ତାରେ ଯାତାୟାତ କରୁଛି I ମଧ୍ୟରାତ୍ରିରୁ ରାଜ୍ୟର ଅନ୍ୟ ସ୍ଥାନରୁ କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାକୁ ବସ ଯୋଗେ ଯାଉଥିବା ଯାତ୍ରୀ ଘାଟିରେ ଫସିଯାଇଛନ୍ତି I ଏପରିକି କୋରାପୁଟ ଜିଲ୍ଲାରୁ ଭୁବନେଶ୍ୱର ଯାଉଥିବା ବସ ଯାତ୍ରୀ ମାନେ ଫସି ରହିଛନ୍ତି I ରାସ୍ତା ଜାମ ହୋଇ ପ୍ରାୟ ୬ ଘଣ୍ଟା ହୋଇଯାଇଥିଲେ ସୁଦ୍ଧା ଏହି ରାସ୍ତାରେ ଯାତାୟାତ ସାମାନ୍ୟ ହୋଇ ପାରିନି I ଘଟଣା ସ୍ଥଳରେ କୁମ୍ବିକୋଟା ଫାଣ୍ଡି ଓ ରାୟଗଡା ପୁଲିସ ପହଞ୍ଚିଥିବା ଜଣାପଡିଛି I