ପୂର୍ବତନ ବିଧାୟକ ଏସସିବିରେ ଚିକିତ୍ସିତ
କଟକ, ୨୭/୦୬ ( କାହୁଁ ଚରଣ ବାରିକ ) : ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥତା ହେତୁ ଆଜି ଏସସିବି ମେଡିକାଲର ନିଉ ମେଡିସିନ୍ ୱାର୍ଡ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି । ମେଡିକାଲର ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଚିକିତ୍ସା ଅନୁଯାୟୀ ହେମୋଗ୍ଲୋବିନ୍, ଆଇରନ୍ ଏବଂ ଭିଟାମିନର ପରିମାଣ ମାତ୍ରାଧିକ କମିଯିବା ଦ୍ୱାରା ଶରୀର ଦୁର୍ବଳ ହୋଇପଡ଼ିଛି । ତେଣୁ ପୂର୍ବତନ ବିଧାୟକ ଡଃ ବିଶ୍ୱାଳଙ୍କ ସମସ୍ତ ପରୀକ୍ଷା କରାଯିବା ପରେ ଶରୀରରେ ରକ୍ତ ଦିଆଯାଇଥିଲା । ଏବେ ଡଃ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ରହିଥିବା ବେଳେ ତାଙ୍କ ପାଖରେ ପରିବାର ସଦସ୍ୟ ଉପସ୍ଥିତ ଥିବା ବେଳେ ପୁତ୍ର ବିଧାୟକ ସୌଭିକ ବିଶ୍ୱାଳ ଡାକ୍ତର ମାନଙ୍କ ସହ ସବିଶେଷ ତଥ୍ୟ ପାଇଁ ପରାମର୍ଶ ଜାରି ରଖିଛନ୍ତି । ଏହି ଅବସରରେ ଡଃ ବିଶ୍ୱାଳଙ୍କ ବହୁ ଶୁଭେଚ୍ଛୁ ମେଡିକାଲକୁ ଆସି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।