ବେଆଇନ କରତକଳରେ ଚଢ଼ାଉଦୁଇ ସିଫ୍ଟ ଆକାଶିଆ କାଠ ଜବତ
ଭଞ୍ଜନଗର, ୧୩/୦୬ ( ସତ୍ୟମ ଜଗତ ) : ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଗାଙ୍ଗପୁର ସେକ୍ସନ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ ବନ ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଥିଲା। ସେଠାରେ ଟ୍ରାକ୍ଟରରେ ଲାଗିଥିବା କରତକଳ ମେଶିନ ଜବତ କରାଯାଇଥିଲା। ଏଥିସହ ୨ ସିଫ୍ଟ ଆକାଶିଆ କାଠ ଜବତ କରାଯାଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଜଣଙ୍କ ଜାଣି ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛି। ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଜଣଙ୍କ ଟ୍ରାକ୍ଟର ଗାଡ଼ିରେ କରତକଳ ମେଶିନ ଲଗାଇ ବିଭିନ୍ନ ଆଡ଼େ ବୁଲିବୁଲି କାଠ କାଟନ୍ତି। ଏଥିସହ ଗ୍ରାମ ନିକଟରେ ମଧ୍ୟ କାଟନ୍ତି। ବେନିୟମ ଭାବେ ଏହିଭଳି କାର୍ଯ୍ୟ ହେଉଥିବା ଖବର ମିଳିବା ପରେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦେଶ କ୍ରମେ ରେଞ୍ଜର ପୃଥିବୀରାଜ ପ୍ରଧାନଙ୍କ ନେତୃତ୍ୱରେ ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀ, ଦକ୍ଷିଣ ଘୁମୁସର ବନଖଣ୍ଡ କର୍ମଚାରୀ ଏବଂ ପୋଲିସ ମିଳିତ ଭାବେ ଅଚାନକ ଚଢ଼ାଉ କରିଥିଲେ। ଏଥିସହ ବନ ବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚାଲିଥିବା ରେଞ୍ଜର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।