Hot Posts

6/recent/ticker-posts

ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବୀରେ ମହିଳାଙ୍କ ବିକ୍ଷୋଭ

ମାଲକାନଗିରି, ୧୪/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ସାଲବାଗାନ ସ୍ଥିତ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବୀରେ ମହିଳାଙ୍କ ବିକ୍ଷୋଭ । ଏହି ସରକାରୀ ସ୍ୱୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ଦାବୀରେ ସ୍ଥାନୀୟ ମହିଳାମାନେ ଗଣବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମଦ ଦୋକାନ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଶାନ୍ତି ଶୃଙ୍ଖଳା ନଷ୍ଟ ହେବା ସହ ମହିଳା ଓ ଯୁବତୀମାନେ ନିଜକୁ ଅସୁରକ୍ଷିତ ମଣୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗାଁ ମୁଣ୍ଡରେ ମଦ ଦୋକାନ ଖୋଲିବା ଦିନଠାରୁ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଗତିବିଧି ବୃଦ୍ଧି ପାଇଛି । ମଦ ଦୋକାନଟି ଜନବସତି ନିକଟରେ ଥିବାରୁ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଏଠାରେ ଅସାମାଜିକ ବ୍ୟକ୍ତି ଓ ମଦୁଆଙ୍କ ଆଡ୍ଡା ଜମୁଛି । ଫଳରେ ସ୍ଥାନୀୟ ମହିଳା, ସ୍କୁଲ-କଲେଜ ଯାଉଥିବା ଛାତ୍ରୀମାନେ ଏହି ରାସ୍ତାରେ ଯାତାୟାତ କରିବା ସମୟରେ ଅଶ୍ଳୀଳ ମନ୍ତବ୍ୟ ଓ ନିର୍ଯାତନାର ଶିକାର ହେଉଛନ୍ତି । ଏହି କାରଣରୁ ନିଜ ଘର ପାଖରେ ମଧ୍ୟ ମହିଳାମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ କରୁଛନ୍ତି । ଏହାସହ ମଦ୍ୟପମାନେ ମଦ ପିଇବା ପରେ ଖାଲି କାଚ ବୋତଲଗୁଡ଼ିକୁ ପାଖରେ ଥିବା ଚାଷ ଜମି ଏବଂ ହିଡ଼ ଉପରକୁ ଫିଙ୍ଗି ଦେଉଛନ୍ତି । ସେଗୁଡ଼ିକ ଭାଙ୍ଗି ଜମିରେ ମିଶିଯାଉଥିବାରୁ ଚାଷ କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି । ବୋତଲ କାଚ ବାଜି ଅନେକ ଚାଷୀ ଓ ଗୋରୁଗାଈ ଆହତ ହେଉଛନ୍ତି ଏବଂ ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହେଉଥିବା ସେମାନେ କହିଛନ୍ତି । ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଶନିବାର ମହିଳାମାନେ ବାଧ୍ୟ ହୋଇ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ଯଦି ଆଗାମୀ ଦିନରେ ଏହି ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କିମ୍ବା ବନ୍ଦ କରାନଯାଏ, ତେବେ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି ।




ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।