Hot Posts

6/recent/ticker-posts

ଉଦେପଦରରେ ଯୋଗ ଶିବିର ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମହାରାଜପୁର, ୧୩/୦୬ ( ଲାଲ ବିହାରୀ ମାଝୀ ) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର କ୍ଷେମାଲୋଏ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ଉଦେପଦର ଗ୍ରାମରେ ଏକ ଯୋଗ ଶିବିର ଓ ମ୍ୟାଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଶା କର୍ମୀ ମନ୍ଦାକିନୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଷେମାଲୋଏ ଉପ-ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ଅଧିକାରିଣୀ ନିବେଦିତା ପଧାନ ଉପସ୍ଥିତ ରହି ମ୍ୟାଲେରିଆ ରୋଗର କାରଣ, ଲକ୍ଷଣ, ପ୍ରତିକାର ଓ ସଚେତନତାର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସେ ଘର ଚାରିପାଖ ସଫା-ସୁତୁରା ରଖିବା, ମଶାରୀ ବ୍ୟବହାର କରିବା ଏବଂ ଜ୍ୱର ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଯୋଗଗୁରୁ ଡ଼. ହୃଷୀକେଶ ଦେହେରୀ ଯୋଗର ଲକ୍ଷ୍ୟ, ଉପକାରିତା ଏବଂ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ପରିବେଶ ସୁରକ୍ଷା କରିବା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ଅଟେ। ସୁସ୍ଥ ଜୀବନଶୈଳୀ ଓ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଁ ଯୋଗ ଏକ ସରଳ ଏବଂ ପ୍ରଭାବଶାଳୀ ମାଧ୍ୟମ।କାର୍ଯ୍ୟକ୍ରମରେ ଗ୍ରାମର ବହୁ ମହିଳା, ଛାତ୍ରଛାତ୍ରୀ, ପୁରୁଷ ଓ ଯୁବକ-ଯୁବତୀ ଯୋଗଦେଇ ଯୋଗାଭ୍ୟାସ କରିବା ସହିତ ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନତା ବାର୍ତ୍ତା ଗ୍ରହଣ କରିଥିଲେ।ଶେଷରେ ସମସ୍ତଙ୍କୁ ସୁସ୍ଥ ଓ ସଚେତନ ସମାଜ ଗଠନ ପାଇଁ ଏକାଠି କାମ କରିବାକୁ ଆହ୍ୱାନ କରାଯାଇଥିଲା। ଶେଷରେ ଅଙ୍ଗନୱାଡ଼ି କର୍ମୀ ସୁବାଶିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।