ଦୁର୍ଘଟଣାକୁ ଅପେକ୍ଷା କରିଛି କି ପ୍ରଶାସନ? ସିନାପାଲି ବିଇଓ କାର୍ଯ୍ୟାଳୟର ବିପଦସଙ୍କୁଳ ବାଡ଼କୁ ନେଇ ଚିନ୍ତା
ସିନାପାଲି, ୨୭/୦୬ (ପରମେଶ୍ୱର ମେହେର) : ଦୁର୍ଘଟଣା ଘଟିବା ପରେ ହିଁ କଣ ପ୍ରଶାସନର ନିଦ ଭାଙ୍ଗିବ? ନା କୌଣସି ନିରୀହ ଶିଶୁ ଉପରେ ଅଘଟଣ ହେବା ପରେ ଚେତିବ ସରକାରୀ ବ୍ୟବସ୍ଥା? ଏଭଳି ପ୍ରଶ୍ନ ଏବେ ସିନାପାଲିବାସୀଙ୍କ ମନରେ ଉଙ୍କି ମାରୁଛି । କାରଣ ଦୀର୍ଘଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ଥିବା ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ପରିବେଷ୍ଟନୀ ବାଡ଼କୁ ନେଇ ଏକାଧିକ ଗଣମାଧ୍ୟମରେ ଖବର ପ୍ରକାଶ ଓ ପ୍ରସାରଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇସାରିଛି । ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକଙ୍କ ସହ ପିଏମ୍ ଶ୍ରୀ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ରାଇଜିଂ ସନ ପବ୍ଲିକ ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି । ସ୍କୁଲ ଛୁଟି ସମୟରେ ଏଠାରେ ପ୍ରବଳ ଭିଡ଼ ହେଉଥିବାରୁ ଯଦି ହଠାତ୍ ବାଡ଼ଟି ଭୁଶୁଡ଼ି ପଡ଼େ, ତେବେ ଏକ ବଡ଼ ଅଘଟଣ ଘଟିବାର ଆଶଙ୍କାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।ସ୍ଥଳ ପରିଦର୍ଶନରୁ ସ୍ପଷ୍ଟ ହେଉଛି ଯେ, ମୁଖ୍ୟ ପ୍ରବେଶ ପଥର ଉଭୟ ପାର୍ଶ୍ୱରେ ବାଡ଼ ଗଭୀର ଭାବେ ଫାଟିଯାଇଛି । ଗୋଟିଏ ପାର୍ଶ୍ୱରେ ବିଶାଳ ଗଛର ମୂଳ ଚାପରେ ବାଡ଼ ଦୁର୍ବଳ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଲମ୍ବା ଫାଟ ସୃଷ୍ଟି ହୋଇ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ରହିଛି । ବାଡ଼ ତଳେ ଜମା ହୋଇଥିବା ଆବର୍ଜନା ଓ ଦୀର୍ଘଦିନର ଅବହେଳା ସ୍ଥିତିକୁ ଆହୁରି ସଙ୍କଟପୂର୍ଣ୍ଣ କରିଦେଇଛି । ସବୁଠାରୁ ବିସ୍ମୟକର କଥା ହେଲା, ଏହି କାର୍ଯ୍ୟାଳୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସରକାରୀ ବାସଭବନଠାରୁ ମାତ୍ର ପ୍ରାୟ ୨୦୦ ମିଟର ଦୂରରେ ଥିବା ସତ୍ତ୍ୱେ ମଧ୍ୟ ବିପଦପୂର୍ଣ୍ଣ ବାଡ଼ ଉପରେ କାହାରି ନଜର ପଡ଼ୁନାହିଁ । ପ୍ରଶାସନର ଏହି ନୀରବତା ଏବେ ସାଧାରଣ ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି ।ଅଭିଭାବକମାନେ କହୁଛନ୍ତି, ପ୍ରତିଦିନ ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲକୁ ପଠାଇବା ବେଳେ ସେମାନେ ଭୟରେ ରହୁଛନ୍ତି । ଯଦି ଦୁର୍ଭାଗ୍ୟବଶତଃ ବାଡ଼ଟି କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଭୁଶୁଡ଼ି ପଡ଼େ, ତାହାର କ୍ଷତି କେବେ ପୂରଣ ହୋଇପାରିବ ନାହିଁ । ସେଥିପାଇଁ ପ୍ରଶାସନ ଦୁର୍ଘଟଣାକୁ ଅପେକ୍ଷା ନକରି ତୁରନ୍ତ ବାଡ଼ର ମରାମତି କିମ୍ବା ପୁନଃନିର୍ମାଣ କରି ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି ହେଉଛି । ପ୍ରଶ୍ନ ଉଠୁଛି ଯେ, ଗଣମାଧ୍ୟମ ଆଉ କେତେଥର ଚେତାଇବ? ପ୍ରଶାସନ ଓ ଜନପ୍ରତିନିଧିମାନେ କେବେ ଉଠିବେ ? ଦୁର୍ଘଟଣା ପରେ ପଦକ୍ଷେପ ନେବା ଅପେକ୍ଷା, ଦୁର୍ଘଟଣାକୁ ରୋକିବା ହିଁ ପ୍ରକୃତ ପ୍ରଶାସନିକ ଦାୟିତ୍ୱ । ଏବେ ସମୟ ଆସିଛି ନୀରବତା ଭାଙ୍ଗି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାରa ।