ଶିଶୁ ଶ୍ରମ ନିରାକରଣ ସଚେତନତା କାର୍ଯକ୍ରମ-୨୦୨୬ ଅନୁଷ୍ଠିତ
ସୁବର୍ଣ୍ଣପୁର, ୨୦/୦୬ ( ଜଗଦିଶ ମେହେର ) : ଆଜି ଜିଲ୍ଲାପାଳ କାର୍ଯାଳୟର ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯକ୍ରମ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଭୟ ୧୪ ବର୍ଷରୁ କମ ଶିଶୁ ଏବଂ ୧୮ ବର୍ଷରୁ କମ କିଶୋର/କିଶୋରୀ ମାନଙ୍କର ବିପଦ ସଂକୁଳ ବୃତ୍ତି ବିଷୟରେ ଚର୍ଚ୍ଚା ହେବା ସହ ଶିଶୁ ଓ କିଶୋର ଶ୍ରମ ଆଇନ- ୧୯୮୬ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା | କାର୍ଯକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ଶ୍ରମ ବିଭାଗର ଉଦ୍ଧାରକାରୀ ଦଳ ଦ୍ୱାରା ସମଗ୍ର ଜିଲ୍ଲାରେ ଚାଲିଥିବା କାର୍ଯ୍ୟକଳାପ ବିଷୟରେ ଚର୍ଚ୍ଚା ହେବା ଶହ ଶ୍ରମରେ ନିୟୋଜିତ କରୁଥିବା ଲୋକ ଉପରେ କଣ ଦଣ୍ଡ ବିଧାନ ରହିଛି ତାହା ମଧ୍ୟ ସୂଚିତ କରାଗଲା | ଡିଭିଜନାଲ ଶ୍ରମ ଆୟୁକ୍ତ ଶ୍ରୀ ଦିଲେଶ୍ୱର ଖାଖା ଶିଶୁ ଶ୍ରମ ବିରୋଧୀ ଅଭିଯାନର ବିଭିନ୍ନ ଦିଗ ଉପସ୍ଥାପନ କରିବା ସହିତ ଶିଶୁ ଶ୍ରମିକରୁ ପାରା ଆରଚେରୀରେ ବିଶ୍ୱ ବିଜେତା ହୋଇଥିବା ପାୟଲ ନାଗଙ୍କ ପ୍ରେରଣାଦାୟକ ଯାତ୍ରା ବିଷୟରେ ଆଲୋକପାତ କରିଥିଲେ। ସେ ସମସ୍ତ ବିଭାଗକୁ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଶିଶୁ ଶ୍ରମିକ ଚିହ୍ନଟ ହେଲେ ତୁରନ୍ତ ଜିଲ୍ଲା ଶ୍ରମ ବିଭାଗକୁ ଅବଗତ କରାଇବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଶୀଘ୍ର ଉଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇପାରିବ। ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଯେ ଶିଶୁ ଶ୍ରମ ଭଳି ସାମାଜିକ ସମସ୍ୟାର ସମାଧାନ ପାଇଁ ଏକ ସମ୍ବେଦନଶୀଳ ଓ ମାନବିକ ଆଭିମୁଖ୍ୟ ଅପରିହାର୍ଯ୍ୟ। ଶିଶୁମାନଙ୍କୁ କେବଳ ଶ୍ରମରୁ ଉଦ୍ଧାର କରିବା ନୁହେଁ, ବରଂ ସେମାନଙ୍କର ପୁନର୍ବାସ, ପୁନଃ ବିଦ୍ୟାଳୟରେ ନାମଲେଖା, ଦକ୍ଷତା ବିକାଶ ଏବଂ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ପୂର୍ବ ଦଶନ୍ଧି ତୁଳନାରେ ବର୍ତ୍ତମାନ ଦଶନ୍ଧିରେ ଶିଶୁ ଶ୍ରମ ଘଟଣାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ତଥାପି ନିଖୋଜ ଶିଶୁମାନଙ୍କ ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବା ସହ ଉଦ୍ଧାର ପରେ କୌଣସି ଶିଶୁ ପୁନର୍ବାର ଶ୍ରମରେ ନିୟୋଜିତ ନ ହେବାକୁ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାସ ଶିଶୁ ଶ୍ରମର ମୂଳ କାରଣ ଦୂରୀକରଣ ପାଇଁ ପରିବାରମାନଙ୍କ ଆର୍ଥିକ ସ୍ଥିତିକୁ ବୁଝିବା ଏବଂ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶିଶୁ ଶ୍ରମିକ ନିୟୋଜନ କରୁଥିବା ନିଯୁକ୍ତିଦାତାଙ୍କ ବିରୋଧରେ ଜରିମାନା ସମେତ କଠୋର ଦଣ୍ଡାତ୍ମକ ପଦକ୍ଷେପ ଗ୍ରହଣ କରାଗଲେ ଏହା ଏକ ପ୍ରଭାବଶାଳୀ ପ୍ରତିରୋଧକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ। କାର୍ଯକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦିବ୍ୟ ଶଙ୍କର ଧରୁଆ ପରିଚାଳନା କରିଥିଲେ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଲିନା ବାବୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ଡିଏସପି ଶ୍ରୀମତୀ ରେଣୁକା ସୁନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।