Hot Posts

6/recent/ticker-posts

ସମାଜସେବୀ ବୃନ୍ଦାବନ ଜେନାଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି

ବିଂଝାରପୁର, ୪/୦୬ (ପ୍ରଦୀପ କୁମାର ମଲ୍ଲିକ) : ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମର ବିଶିଷ୍ଟ ସମାଜସେବୀ, ନିରପେକ୍ଷ ଓ ଦକ୍ଷ ନିଷ୍ପତ୍ତିକାରୀ, ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ତଥା ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଦୀର୍ଘଦିନ ଧରି ଜଡିତ ରହିଥିବା ଦିବଙ୍ଗତ ବୃନ୍ଦାବନ ଜେନାଙ୍କ ଏକାଦଶାହ ଅବସରରେ ଏକ ଗମ୍ଭୀର ଓ ଭାବବିହ୍ୱଳ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ସିଂହପୁରସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ତଥା ବର୍ଷୀୟାନ ବ୍ୟକ୍ତିତ୍ୱ କୃଷ୍ଣ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ପଦ୍ମଚରଣ ଧଳ ମୁଖ୍ୟ ଅତିଥି, ବିଂଝାରପୁର ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା ମୁଖ୍ୟ ବକ୍ତା ଏବଂ ଶିକ୍ଷାବିତ ନିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବଙ୍ଗତ ବୃନ୍ଦାବନ ଜେନାଙ୍କ ଜୀବନ ଦର୍ଶନ, ସାମାଜିକ ଅବଦାନ ଓ ମାନବିକ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଯେ, ବୃନ୍ଦାବନ ଜେନା କେବଳ ଜଣେ ସମାଜସେବୀ ନୁହେଁ, ବରଂ ଗ୍ରାମର ସାମାଜିକ ସଚେତନତା, ଶିକ୍ଷାର ପ୍ରସାର ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ଜଣେ ପ୍ରେରଣାଦାୟୀ ପଥପ୍ରଦର୍ଶକ ଥିଲେ। ତାଙ୍କର ସରଳ ଜୀବନଶୈଳୀ, ସ୍ପଷ୍ଟ ମତାମତ ଓ ସମାଜ ପ୍ରତି ନିଷ୍ଠା ଆଗାମୀ ପିଢ଼ି ପାଇଁ ଆଦର୍ଶ ହୋଇ ରହିବ। ଏହି ସଭାରେ ଯୁବ ସରପଞ୍ଚ ଶଶାଙ୍କ ଶେଖର ଖିଲାର, ମେଘନାଦ ମହାଳିକ, ସୁଶାନ୍ତ କୁମାର ନାୟକ, ପ୍ରଦୀପ କୁମାର ଜେନା, କଳାକର ପାତ୍ର, ସୁବାଷ ଚନ୍ଦ୍ର ପ୍ରଧାନ, ଶ୍ରୀହରି ସାହୁ, ନାରାୟଣ ଦାସ, ଚନ୍ଦ୍ରମଣି ନାୟକ, ଭରତ ଚନ୍ଦ୍ର ନାୟକ, ମଳୟ କୁମାର ଥାଟୋଇ, ବିପିନ ବିହାରୀ ଜେନା ଓ ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ବୃନ୍ଦାବନ ଜେନାଙ୍କ ବହୁମୁଖୀ ସୁଗୁଣ, ସମାଜ ପ୍ରତି ତାଙ୍କର ଅବଦାନ ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସଭା ଶେଷରେ ଉପସ୍ଥିତ ସମସ୍ତଙ୍କ ବକ୍ତବ୍ୟରେ ଏକ ସ୍ପଷ୍ଟ ଭାବନା ପ୍ରତିଫଳିତ ହୋଇଥିଲା ଯେ, ସିଂହପୁର ମାଟି ଜଣେ ସୁଯୋଗ୍ୟ, ନିଷ୍ଠାବାନ ଓ ଜନହିତୈଷୀ ବ୍ୟକ୍ତିଙ୍କୁ ହରାଇଛି। ତାଙ୍କ ସ୍ମୃତି ଓ ଆଦର୍ଶ ଆଗାମୀ ଦିନରେ ସମାଜକୁ ସଦା ପ୍ରେରଣା ହୋଇ ରହିବ |