ଜୁନାଗଡ଼ରେ ଚାଷୀଙ୍କ ରାସ୍ତାରୋକୋ: ମଣ୍ଡିରୁ ଧାନ ଉଠାଣ ଦାବିରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ
ଜୁନାଗଡ଼, ୧୫/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ରବି ଧାନ କ୍ରୟ ପ୍ରକ୍ରିୟା ଅଚଳାବସ୍ଥା ଜାରି ରହିଥିବା ବେଳେ ଜୁନାଗଡ଼ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜୁନାଗଡ଼ ମଣ୍ଡିରେ ଗତ ୨୦ ତାରିଖରୁ ଧାନ ବିକ୍ରି ପାଇଁ ରଖାଯାଇଥିଲେ ମଧ୍ୟ ପ୍ରାୟ ୨୫ ଦିନ ହେଲା ଧାନ ଉଠାଣ ହୋଇନଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। ଅଭିଯୋଗ ଅନୁସାରେ, ମଣ୍ଡିକୁ ନିଯୁକ୍ତ ମିଲର୍ସ ଏବଂ ଏଜେଣ୍ଟ ଏପର୍ଯ୍ୟନ୍ତ ଧାନ ଉଠାଇବାକୁ ଆସିନଥିବା ବେଳେ ୪୦୦ରୁ ଅଧିକ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଟୋକନ ରଖିଥିବା ଅନେକ ଚାଷୀଙ୍କ ସମୟସୀମା ଶେଷ ହେବାକୁ ଯାଉଥିବାରୁ ସେମାନେ ଚିନ୍ତାରେ ରହିଛନ୍ତି। ବିଶେଷକରି ୧୮ ତାରିଖର ଟୋକନ ଧାରୀ ଚାଷୀଙ୍କ ଟୋକନ ଲାପ୍ସ ହେବା ଆଶଙ୍କା ଦେଖାଦେଇଛି। ଏପରିକି ଏନ୍ଏସି ଅଞ୍ଚଳର ଧାନ ଉଠାଣ ହୋଇଥିବା ବେଳେ ପ୍ୟାକ୍ସ ମାଧ୍ୟମରେ ଆସିଥିବା ଧାନ ଉଠାଣ ହେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସୋମବାର ସକାଳ ୯ଟାରୁ ଶତାଧିକ ଚାଷୀ ଜୁନାଗଡ଼ ସ୍ଥିତ ଲଙ୍କେଶ୍ୱରୀ ମନ୍ଦିର ନିକଟରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିବା ବେଳେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଚାଷୀମାନେ ତୁରନ୍ତ ମଣ୍ଡିରୁ ଧାନ ଉଠାଣ, ଟୋକନ ଲାପ୍ସ ନ କରିବା ଏବଂ ମିଲର୍ସ ନିଯୁକ୍ତିରେ ହୋଇଥିବା ଅବ୍ୟବସ୍ଥା ଦୂର କରିବାକୁ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ