କାଳବୈଶାଖୀ ପ୍ରଭାବ: ଗଛ ପଡ଼ି ମୁଖ୍ୟ ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ
ଝରୀଗାଁ, ୪/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ବକଡା ବେଡା ଗାଁରେ ଆଜି ଅପରାହ୍ନ ପ୍ରାୟ ୨.୩୦ ମିନିଟ ସମୟରେ କାଳବୈଶାଖୀ ବର୍ଷା ଓ ପ୍ରବଳ ପବନ ପ୍ରଭାବରେ ବକଡା ବେଡା ବସ୍ଷ୍ଟାଣ୍ଡ ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଡାବୁଗାଁ-ଉମରକୋଟ ମୁଖ୍ୟ ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସମୟରେ ରାସ୍ତାରେ ଯାଉଥିବା ଯାନବାହନ ଅଟକି ରହିଥିଲା ଏବଂ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଡାବୁଗାଁରୁ - ଉମରକୋଟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ସମ୍ପ୍ରସାରଣ କାମ ଚାଲିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବିପଦସଙ୍କୁଳ ଗଛଗୁଡ଼ିକୁ କାଟିବା ପାଇଁ ଅନେକ ଥର ଠିକାଦାରଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ଆଜିର ପ୍ରବଳ ପବନରେ ଗଛଟି ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଅନ୍ୟ ପଟେ ଗୋଟିଏ ବିଦ୍ୟୁତ ଖୁଣ୍ଟ ହୋଟେଲ ଉପରେ ପଡ଼ି ଯିବା ଯୋଗୁଁ ହୋଟେଲର ଆଜବେଷ୍ଟସ ଛାତ ନଷ୍ଟ ହୋଇଛି | ସ୍ଥାନୀୟ ବାସିନ୍ଦାମାନେ ରାସ୍ତା କାମ ସମୟରେ ବିପଦଜନକ ଗଛଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବା ସହ ଭବିଷ୍ୟତରେ ଏଭଳି ଘଟଣା ଏଡ଼ାଇବାକୁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଉମରକୋଟ ଅଗ୍ନିଶମ ବାହିନୀ ପହଂଚି ରାସ୍ତାରୁ ଗଛ ହଟାଇଥିଲେ |ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିବା ସୂଚନା ମିଳିଛି