ସୁବର୍ଣ୍ଣପୁରରେ ହାଇ-ଟେକ୍ ସର୍ଭେ କାର୍ଯ୍ୟର ସମୀକ୍ଷା, ଜମି ରେକର୍ଡ ପରିଚାଳନାର ଅଗ୍ରଗତି ଉପରେ ଗୁରୁତ୍ୱ
ସୁବର୍ଣ୍ଣପୁର, ୨୯/୦୬ ( ଜଗଦୀଶ ମେହେର ) : ଆଜି ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶକ, ଭୂମି ଅଭିଲେଖ ବା ଜମି ରେକର୍ଡ ଓ ସର୍ଭେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଓ.ଏ.ସ୍ ( ଏସ୍.ଏସ ) ଏବଂ ଅତିରିକ୍ତ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଶ୍ରୀ ଅମିୟ କୁମାର ସାହୁ, ଓ.ଏ.ଏସ (ଏସ.ଏ.ଜି ) ଙ୍କ ଦ୍ଵାରା ଯୁଗ୍ମ କ୍ଷେତ୍ର ପରିଦର୍ଶନ ସହିତ ହାଇ -ଟେକ୍ ସର୍ଭେ ଅନ୍ତର୍ଗତ ଜମି ରେକର୍ଡ/ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତିର ଜିଲ୍ଲା ସ୍ତରୀୟ ପର୍ଯ୍ୟାଲୋଚନା ବା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହିକ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ ନିମନ୍ତେ ଶ୍ରୀ ନଳିନୀକାନ୍ତ ଜେନା, ଜିଓ ସ୍ପାଟିଏଲ୍ ପରିଚାଳକ ବା ଭୂ-ସ୍ଥାନିକ ପରିଚାଳକ, ନକ୍ସାଙ୍କ ସମେତ ଶ୍ରୀ ନିଗମ ମହାନ୍ତି, ଆଇ.ଆଇ.ସି, ଏଜେନ୍ସିର ପରିଚାଳକ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ବ ଓ.ଏସ୍.ଡି ଶ୍ରୀ ରଶ୍ମି ରଞ୍ଜନ ରାଉତ ସାମିଲ ହୋଇ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିବା ସହିତ ସହଯୋଗ କରିଥିଲେ। ଗସ୍ତ ସୂଚୀ ଅନୁଯାୟୀ ଆଜି ତା୨୯.୦୬.୨୦୨୬ ରିଖ ଦିନ ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ଓ ଉଲୁଣ୍ଡା ତହସିଲ ର ହାଇ - ଟେକ୍ ସର୍ଭେର ରେକର୍ଡ ପରିଚାଳନା କାର୍ଯ୍ୟ ର ଅଗ୍ରଗତି ଉପରେ ପର୍ଯ୍ୟାଲୋଚନା ବା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ କ୍ଷେତ୍ରୀୟ ସ୍ତରରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ବିଶଦ ଭାବେ ଆଲୋଚିତ ହୋଇଥିଲା। ଏହି ସମୀକ୍ଷା ବୈଠକ ରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଉପ ଜିଲ୍ଲାପାଳ, ବୀରମହାରାଜପୁର, ଶ୍ରୀ ସୁରେନ୍ଦ୍ର ମେହେର, ଜିଲ୍ଲା କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ, ରାଜସ୍ବ, ଶ୍ରୀମତି ଜ୍ୟୋତିର୍ମୟୀ ମଲ୍ଲିକ, ଉଭୟ ତହସିଲଦାର, ବୀରମହାରାଜପୁର ଓ ଉଳୁଣ୍ଡଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିଥିଲେ। ଆସନ୍ତାକାଲି ତା ୩୦.୦୬.୨୦୨୬ ରିଖ ଦିନ ୧୦.୩୦ ଘଟିକା ସମୟରେ ସୋନପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଉପଖଣ୍ଡ ଅନ୍ତର୍ଗତ ଅବଶିଷ୍ଟ ୦୪(ଚାରି) ଗୋଟି ତହସିଲ ଯଥା, ତରଭା, ସୋନପୁର, ବିନିକା ଓ ରାମପୁର ତହସିଲ ଗୁଡିକର ହାଇ ଟେକ୍ ସର୍ଭେ ର ଅଭିଲେଖ ପରିଚାଳନା କାର୍ଯ୍ୟ ର ଅଗ୍ରଗତି ଉପରେ ଉଭୟ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ଦ୍ବାରା ସମୀକ୍ଷା କରାଯିବ ପାଇଁ ଗସ୍ତ ସୂଚୀ ରେ ସ୍ଥିରୀକୃତ ହୋଇଛି।