ରୁଦ୍ରପୁରରେ ବିଭତ୍ସ ଅଗ୍ନିକାଣ୍ଡ... ୨ଗୋରୁ ଜୀବନ୍ତ ଦଗ୍ଧ... ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ...
ବରୀ, ୨୩/୦୬ ( ରଂଜିତ ମହାନ୍ତି ) : ରବିବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ରୁଦ୍ରପୁର ପଞ୍ଚାୟତ ସିଠାଳୋଇ ଗ୍ରାମ ୬ ନମ୍ବର ୱାର୍ଡରେ ବିଭତ୍ସ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଦୋଳଗୋବିନ୍ଦ ଓଝାଙ୍କ ଘର ପୋଡ଼ି ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ୨ଟି ସମେତ ୨ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଇଲେକ୍ଟ୍ରି ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ, ସିଠାଳୋଇ ଗ୍ରାମର ଦୋଳଗୋବିନ୍ଦ ଓଝାଙ୍କ ଘରେ ଗତକାଲି ରାତି ପ୍ରାୟ ୩ଟା ୩୦ ମିନିଟ ସମୟରେ ଅଚାନକ ନିଆଁ ଲାଗିଥିଲା। ପରିବାର ଲୋକେ ଶୋଇଥିବା ବେଳେ ଘର ଭିତରେ ଧୂଆଁ ଭରିଯାଇଥିବା ଦେଖି ବାହାରକୁ ଆସିଥିଲେ। ସେତେବେଳକୁ ନିଆଁ ସମଗ୍ର ଘରକୁ କବଳିତ କରିସାରିଥିଲା। ଗ୍ରାମବାସୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଗ୍ନିର ପ୍ରକୋପ ଅଧିକ ଥିବାରୁ ନିଆଁ ଲିଭାଇବାରେ ସଫଳ ହୋଇ ପାରିନଥିଲେ। ଖବର ପାଇ ବରୁଆଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଘରେ ଥିବା ଏକ ଓକିନାୱା ଇଲେକ୍ଟ୍ରି ସ୍କୁଟର, ଏକ ବଜାଜ ପଲସର ଏକାଧିକ ୱେଲ୍ଡିଂ ମେସିନ, ଘରର ଆସବାବପତ୍ର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁସ ହୋଇ ଯାଇଥିଲା। ସେହିପରି ଗୁହାଳ ଘରେ ବନ୍ଧା ଥିବା ଦୁଇଟି ଗାଈ ମଧ୍ୟ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିଲେ। ଅଗ୍ନିକାଣ୍ଡର ତୀବ୍ରତା ଏତେ ପ୍ରଖର ଥିଲା ଯେ ତିନି ବଖରା ବିଶିଷ୍ଟ କୋଠାଘରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ପୁଅ ସୌଭାଗ୍ୟ ଓଝା ପ୍ରକାଶ କରିଛନ୍ତି। ପ୍ରାଥମିକ ଆକଳନ ଅନୁସାରେ ଏହି ଅଗ୍ନିକାଣ୍ଡରେ ୨୦ ଲକ୍ଷ ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ ବିଜେପି ନେତା ରତିକାନ୍ତ ରାଜବଂଶୀ, କାକୁଡିକୁଦ ରାଜସ୍ୱ ନିରୀକ୍ଷକ ଏବଂ ପଶୁ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ଏହି ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି