ବାଇପାସ ନଥିବାରୁ ବଢ଼ୁଛି ଟ୍ରାଫିକ ସମସ୍ୟା ଓ ଖରାପ ହେଇଚି ଜାତୀୟ ରାଜପଥ
ରାୟଗଡ଼ା, ୧୨/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାରେ ଜାତୀୟ ରାଜପଥ ୩୨୬ ଦେଇ ପ୍ରତିଦିନ ହଜାର ହଜାର ଛୋଟ ଓ ବଡ଼ ଯାନବାହନ ଚଳାଚଳ କରୁଛି। କିନ୍ତୁ ସହର ମଧ୍ୟରେ ବାଇପାସ ରାସ୍ତାର ବ୍ୟବସ୍ଥା ନଥିବାରୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଯାନଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ପ୍ରଶାସନ ଓ ସରକାର ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ରାୟଗଡ଼ା ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ ଉପରେ ପ୍ରତିଦିନ ଭାରୀ ଯାନବାହନ ଚଳାଚଳ କରୁଛି। ସହର ବାହାରେ ବାଇପାସ ରାସ୍ତା ନଥିବାରୁ ସମସ୍ତ ଯାନବାହନ ସହର ମଧ୍ୟ ଦେଇ ଯିବାକୁ ବାଧ୍ୟ ହେଉଛି। ଏଥିପାଇଁ ସହରର ବିଭିନ୍ନ ଛକରେ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ ଲାଗି ରହୁଛି। ବିଶେଷ କରି ସ୍କୁଲ, କଲେଜ, ହସ୍ପିଟାଲ ଓ ବଜାର ଅଞ୍ଚଳରେ ଯାନବାହନ ଚାପ ଅଧିକ ରହୁଥିବାରୁ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ୁଛି। ଜରୁରୀକାଳୀନ ସେବା ପାଇଁ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକ ଜାମରେ ଫସି ଯାଉଥିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକ ଓ ବିଭିନ୍ନ ସଙ୍ଗଠନ ବହୁବାର ବାଇପାସ ନିର୍ମାଣ ଦାବି କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ଏନେଇ ପ୍ରଶାସନ ଓ ସରକାରଙ୍କ ଉଦାସୀନତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ରାୟଗଡା ସହର ର ଗୋଟିଏ ଲାଇଫ ଲାଇନ କୁହା ଯାଉଥିବା ଫ୍ଲାୟଓଭର୍ ବ୍ରିଜ ଯାହା 4 କୋଟି ଟଙ୍କା ଖର୍ଚ୍ଚ କରି ବ୍ରିଜ ନୂଆ ଜୀବନ ଦ।ନ ଦିୟା ଯାଇ ଥିଲା ସେହି ବ୍ରିଜ ଉପରେ ଭାରୀଜନ ଚଳ ପ୍ରଚଳ ଯୋଗୁ ବ୍ରିଜ ଖରାପ ହେବା ରେ ଲାଗିଛି। ରାୟଗଡ଼ା ଜିଲ୍ଲାର ବିକାଶ ଓ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ପାଇଁ ତୁରନ୍ତ ବାଇପାସ ରାସ୍ତା ନିର୍ମାଣ କରିବାକୁ ଦାବି ଜୋର ଧରିଛି। ଏବେ ସରକାର ଓ ପ୍ରଶାସନ ଏହି ଦୀର୍ଘ ଦିନର ସମସ୍ୟାର ସମାଧାନ କେବେ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।