ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା: ଫର୍ମ ଡିଜିଟାଇଜେସନ କାର୍ଯ୍ୟ ଦ୍ରୁତ ଗତିରେ ଜାରି
ସୁବର୍ଣ୍ଣପୁର, ୧୭/୦୬ ( ଜଗଦିଶ ମେହେର ) : ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଏନୁମେରେସନ ଫର୍ମ ଡିଜିଟାଇଜେସନ କାମ ଦ୍ରୁତ ଗତିରେ ଚାଲିଛି। ଜିଲ୍ଲାରେ ଥିବା ଦୁଇଟି ବିଧାନସଭା ମଣ୍ଡଳୀରେ ବିଏଲଓମାନେ ଫର୍ମ ବଣ୍ଟନ କାମ ଶତକଡା ୯୯.୮୫ ସମ୍ପୂର୍ଣ୍ଣ କରିଥିବା ବେଳେ ସେମାନେ ଫର୍ମଗୁଡ଼ିକୁ ସଂଗ୍ରହ କରି ଡିଜିଟାଇଜେସନ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି। ଜିଲ୍ଲା ନିର୍ବାଚନ ବିଭାଗର ତଥ୍ୟ ଅନୁସାରେ ଆଜି ସୁଦ୍ଧା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୧୮,୫୯୨ ଫର୍ମ ବଣ୍ଟନ କରାଯାଇଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୫୩,୭୧୩ ଫର୍ମ ବଣ୍ଟନ କରାଯାଇଥିଲା। ସର୍ବମୋଟ ୪,୭୩,୦୧୧ ଫର୍ମ ବଣ୍ଟନ କରାଯାଇଛି। ସେଥିମଧ୍ୟରୁ ବୀରମହାରାଜପୁରରେ ୧,୭୨,୧୯୭ଟି ଫର୍ମର ଡିଜିଟାଇଜେସନ ସରିଥିବା ବେଳେ ସୋନପୁରରେ ୧,୫୨,୬୪୮ଟି ଫର୍ମର ଡିଜିଟାଇଜେସନ ସରିଛି। ମୋଟ ୩,୨୪,୮୪୫ଟି ଫର୍ମ ଡିଜିଟାଇଜେସନ ସମ୍ପୂର୍ଣ୍ଣ ହୋଇଛି, ଯାହାକି ଜିଲ୍ଲାର ୬୮.୬୮ ଶତକଡା ଫର୍ମ ଡିଜିଟାଇଜେସନକୁ ସୂଚାଉଛି। ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁରର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରମହାରାଜପୁର-୬୪ ଏବଂ ସୋନପୁର-୬୫ ବିଧାନସଭା ମଣ୍ଡଳୀରେ ଉଭୟ ଉପଜିଲ୍ଲାପାଳ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) ଭାବେ କାର୍ଯ୍ୟ କରୁଛନ୍ତି। ବୀରମହାରାଜପୁରରେ ୬ ଜଣ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ଥିବା ବେଳେ ସୋନପୁରରେ ୭ ଜଣ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଅଛନ୍ତି। ଏହି ଡିଜିଟାଇଜେସନ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ ଦିଆଯିବ। ଏହାପରେ ଏକ ତ୍ରୁଟିଶୂନ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଆସନ୍ତା ୨୮ ଜୁନ ୨୦୨୬ ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ଅଞ୍ଚଳରେ ଘରକୁ ଘର ବୁଲି କାର୍ଯ୍ୟ କରୁଥିବା ବିଏଲଓମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମୟସୀମା ପୂର୍ବରୁ ନିଜ ଫର୍ମ ଦାଖଲ କରିବା ପାଇଁ ଜିଲ୍ଲାର ଭୋଟରମାନଙ୍କୁ ଜିଲ୍ଲା ନିର୍ବାଚନ ବିଭାଗ ଦ୍ୱାରା ଅନୁରୋଧ କରାଯାଇଛି।