ପୁସ୍ତକ ବିନା ପାଠାଗାର, ଅବହେଳାରେ କୁରୁଜଙ୍ଗ ଗ୍ରାମ ପଞ୍ଚାୟତ ଲାଇବ୍ରେରୀ
କୋଣାର୍କ, ୧୯/୦୬ ( ଜ୍ଞାନ ରଞ୍ଜନ ସାହୁ ) : ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତର ବାଲିଦୋକାନ ବଜାରଠାରେ ୨୦୨୧ ମସିହାରେ ଗ୍ରାମର ଶିକ୍ଷା ଓ ସାଂସ୍କୃତିକ ବିକାଶ ଉଦ୍ଦେଶ୍ୟରେ ଏକ ପାଠାଗାର ନିର୍ମାଣ କରାଯାଇଥିଲା। ମାତ୍ର ପାଠାଗାର ପାଇଁ ସ୍ଥାୟୀ ଗୃହ, ଆଲମିରା ଓ ବସିବା ବ୍ୟବସ୍ଥା ଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏଠାରେ ଆବଶ୍ୟକ ପୁସ୍ତକ ଯୋଗାଣ ହୋଇନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ପାଠାଗାର ପରିସରରେ ଅନାବନା ଘାସ ଭରି ରହିଥିବା ବେଳେ ଭିତରର ଆଲମିରାଗୁଡ଼ିକ ଖାଲି ପଡ଼ିଛି। ପାଠକଙ୍କ ପାଇଁ ଚେୟାର ଓ ଅନ୍ୟାନ୍ୟ ସୁବିଧା ଥିଲେ ମଧ୍ୟ ପୁସ୍ତକ ନଥିବାରୁ ପାଠାଗାରଟି ଦୀର୍ଘଦିନ ଧରି ନୀରବ ଅବସ୍ଥାରେ ପଡ଼ିରହିଛି। ଯତ୍ନ ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହା ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଉଥିବା ଦେଖାଯାଉଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ମତରେ, ଗ୍ରାମର ବିକାଶ କେବଳ ରାସ୍ତାଘାଟ ଓ ଭିତ୍ତିଭୂମି ନିର୍ମାଣରେ ସୀମିତ ନୁହେଁ, ବରଂ ଜ୍ଞାନ ଓ ଶିକ୍ଷାର ପ୍ରସାର ମାଧ୍ୟମରେ ମଧ୍ୟ ସମ୍ଭବ। ତେଣୁ ଶୀଘ୍ର ପାଠାଗାରକୁ ପୁସ୍ତକ ଯୋଗାଇ ଏହାକୁ କାର୍ଯ୍ୟକ୍ଷମ କରିବା ସହ ସ୍ୱଚ୍ଛ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବାକୁ କୁରୁଜଙ୍ଗ ପଞ୍ଚାୟତ ବିକାଶ ମଞ୍ଚ ଦାବି କରିଛନ୍ତି। ଏବେ ସମସ୍ତଙ୍କ ନଜର ରହିଛି ସମ୍ପୃକ୍ତ ବିଭାଗ ଓ ପ୍ରଶାସନର ପଦକ୍ଷେପ ଉପରେ। କେବେ ଏହି ନୀରବ ପାଠାଗାର ପୁଣିଥରେ ପାଠକଙ୍କ ସମାଗମ ଓ ପିଲାମାନଙ୍କ ପାଠପଢ଼ାର ଶବ୍ଦରେ ମୁଖରିତ ହେବ, ତାହାକୁ ନେଇ ଅଞ୍ଚଳବାସୀ ଆଶା ବାନ୍ଧି ବସିଛନ୍ତି।