ମେଧାବୀ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଜିଲ୍ଲାର ୨୮୫ ଜଣ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ
କଟକ, ୨୫/୦୬ ( କାହୁଁ ଚରଣ ବାରିକ ) : ତା ୨୪.୦୬.୨୦୨୬ ରିଖ - ଜିଲ୍ଲାର ମେଧାବୀ ଏ-୧ ଗ୍ରେଡ୍ ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଆଜି ନେତାଜୀ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ,କଟକ ସଦର ଇଂ. ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ , ଛାତ୍ରଛାତ୍ରୀମାନେ ଆମ ଭବିଷ୍ୟତ ,ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ ଅବଦୁଲ କଲାମ କହିଥିଲେ, ସ୍ଵପ୍ନ ତାହା ନୁହେଁ ଯାହା ଆମେ ଶୋଇବା ବେଳେ ଦେଖୁ ,ସ୍ଵପ୍ନ ହେଉଛି ତାହା ଯାହା ଆମକୁ ଶୋଇବାକୁ ଦିଏ ନାହିଁ । ଛାତ୍ରଛାତ୍ରୀମାନେ ସର୍ବଦା ୩ଡି(3d) ମନ ରଖିବା ଆବଶ୍ୟକ (Discipline) ଶୃଙ୍ଖଳା, (Determination) ଦୃଢ ସଂକଳ୍ପ ଏବଂ (Dedication) ସମର୍ପଣ ଏହି ତିନୋଟି ଗୁଣ ଜୀବନରେ ସଫଳତା ହାସଲ କରିବାର ମୂଳମନ୍ତ୍ର ବୋଲି ସେ ମତବ୍ୟକ୍ତ କରିଛନ୍ତି । ଅନ୍ୟତମ ଅତିଥି ମାନ୍ୟବର ବିଧାୟିକା ବାରବାଟୀ-କଟକ, ଇଂ ସୋଫିଆ ଫିରଦୋସ୍ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ “ଅନଷ୍ଟପେବଲ୍ ଫ୍ୟୁଚର” ବୋଲି କହିଛନ୍ତି । ଶିକ୍ଷା ଗ୍ରହଣ କରିବାର କୌଣସି ବୟସ ନଥାଏ, ତେଣୁ ନିଜ ଲକ୍ଷ୍ୟ ପୂରଣ କରିବା ପଥରେ ଆଗକୁ ବଢିବା ଉଚିତ୍ । ଭଲ ନମ୍ବର ଭଲ ଚାକିରି ପାଇବାରେ ସହାୟକ ହୋଇପାରେ, କିନ୍ତୁ ଭଲ ଚରିତ୍ର ହିଁ ସମାଜରେ ଜଣେ ବ୍ୟକ୍ତିକୁ ପ୍ରକୃତ ସମ୍ମାନ ଓ ପରିଚୟ ପ୍ରଦାନ କରିଥାଏ ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସଫଳତା ପଛରେ ଥିବା ପିତାମାତା, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଆଗମୀ ୫ ରୁ ୧୦ ବର୍ଷ ନିଜ କ୍ୟାରିୟର ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସମୟ (artificial intelligence) କୃତ୍ରିମ ବୁଦ୍ଧିମତ୍ତାର ସଦୁପଯୋଗ କରି ନିଜର ଜ୍ଞାନ ବ୍ୟବହାର କରି ନିଜ ଜୀବନର ଲକ୍ଷ୍ୟ ହାସଲ କରିପାରିବେ ବୋଲି ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲାର ୨୮୫ ଜଣ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଏବଂ ପ୍ରଥମଥର ଏ-୧ ପାଇଥିବା ୧୬ଟି ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ କଟକ ମହାନଗର ନିଗମ ଆୟୁକ୍ତ, ସୁଶ୍ରୀ କିରଣଦୀପ କୌର ସହୋତା , ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋରଞ୍ଜନ ବାରିକ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଜିତା ଭାସ୍କରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।