ତେରେସିଂହାରେ ବିଶ୍ୱ ଯୋଗ ଦିବସ ପାଳିତ
କର୍ଲାମୁଣ୍ଡା, ୨୧/୦୬ (ସୁଶାନ୍ତ ରଣା) : ମୋ ଭାରତ କଳାହାଣ୍ଡି ତରଫରୁ କର୍ଲାମୁଣ୍ଡା ବ୍ଲକ ତେରେସିଂହା ନେହେରୁ ଯୁବକ ସଂଘ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତେରେସିଂହାର ମିଳିତ ସହଯୋଗରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ଏହି ଦିନ ଯୋଗର ଗୁରୁତ୍ୱକୁ ଏକ ସାମଗ୍ରିକ ଅଭ୍ୟାସ ଭାବରେ ଉଜ୍ଜ୍ୱଳ କରେ। ଯାହା ଶାରୀରିକ ସ୍ବାସ୍ଥ୍ୟ, ମାନସିକ ସୁସ୍ଥତା ଏବଂ ଆଧ୍ୟାତ୍ମିକ ସନ୍ତୁଳନକୁ ବୃଦ୍ଧି କରେ। ପ୍ରାଚୀନ ଭାରତୀୟ ପରମ୍ପରାରେ ମୂଳ ଯୋଗ ନମନୀୟତା, ଶକ୍ତି, ସଚେତନତା ଏବଂ ଚାପ ପରିଚାଳନାକୁ ପ୍ରୋତ୍ସାହିତ କରେ। ଯାହା ବ୍ୟକ୍ତିମାନଙ୍କୁ ସୁସ୍ଥ ଏବଂ ଅଧିକ ସନ୍ତୁଳିତ ଜୀବନଯାପନ କରିବାରେ ସାହାଯ୍ୟ କରେ ବୋଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତେରେସିଂହାର ଯୋଗ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ସନତ କୁମାର ସାହୁ ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କୌଶିକ ବାବା ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ରବି ମାଝୀ, ଆରୋଗ୍ୟ ମନ୍ଦିର କର୍ମୀ ବିଜୟ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଷମା ରଣା, ନେହେରୁ ଯୁବକ ସଂଘ ସମ୍ପାଦକ ତଥା ଯୁବକବି ସୁଶାନ୍ତ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ କର୍ଲାମୁଣ୍ଡା ବ୍ଲକ ଏକଲ ପ୍ରମୁଖ ଶ୍ରୀମାନ ନିର୍ମଳ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଯୋଗ ଦିବସ ଅବସରରେ ଗ୍ରାମର ଅନେକ ଯୁବକ ଯୁବତୀ ଅଂଶ ଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ। ଏଥିରେ ନେହେରୁ ଯୁବକ ସଂଘ ସଦସ୍ୟଙ୍କ ସମେତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୁରକ୍ଷା କର୍ମୀ ବିପିନ ବଗର୍ତି ଓ ସୁଦାମ ସାହୁ ସହଯୋଗ କରିଥିଲେ। ସେହିପରି ଉପ ସ୍ୱାସ୍ଥ୍ୟ କେନ୍ଦ୍ର କୁଶୁର୍ଲା ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସାପଲହରା ଠାରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା।