ଲଇକେରା ବ୍ଲକରେ ବିକାଶ ଧାରା ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ, ହିତାଧିକାରୀଙ୍କୁ ସରକାରୀ ସହାୟତା ବଣ୍ଟନ
ଲଇକେରା, ୧୭/୦୬ ( ନବଦୂତ ) ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଏବଂ କେନ୍ଦ୍ର ସରକାରଙ୍କ ବାର ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାପକ ସମାବେଶରେ ଶହ ଶହ ସଂଖ୍ଯାରେ ସ୍ଥାନୀୟ ମହିଳା ଓ ଗୁରୁଜନମାନେ ସାମିଲ ହୋଇଥିଲେ । ଏହି ଶୁଭ ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ ବିକାଶ ଓ ଜନକଲ୍ୟାଣମୂଳକ ଯୋଜନା ଗୁଡିକର ସଫଳ ରୂପାୟଣ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।ଏଥିସହ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଗାଁ ଗଠନ ସଂକଳ୍ପ ମାଧ୍ୟମରେ ହିଁ ବିକଶିତ ଓଡିଶାର ସ୍ୱପ୍ନ ସାକାର ହେବ ବୋଲି ସେ ଦୃଢ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।କାର୍ଯ୍ଯକ୍ରମ ଅବସରରେ ବିଭିନ୍ନ ପ୍ରଗତିଶୀଳ ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ବଣ୍ଟନ କରାଯାଇଥିଲା ।ଏଗୁଡିକ ହେଲା ମୂଖ୍ଯମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯୋଗ୍ଯ(ପରିବାର) ହିତାଧିକାରୀଙ୍କୁ ଘର ତିଆରି ପାଇଁ କାର୍ଯ୍ୟାଦେଶ, ସାମାଜିକ ସୁରକ୍ଷା ଭତ୍ତା ଏବଂ ନୂତନ ରାଶନ କାର୍ଡ ପ୍ରଦାନ କରାଯାଇଥିବାବେଳେ ଡିଜିଟାଲ ଇଣ୍ଡିଆ ଅଭିଯାନ ଅଧିନରେ ଅଙ୍ଗନବାଡି ଦିଦିମାନଙ୍କୁ (କର୍ମୀ)ସ୍ମାଟ ଫୋନ ପ୍ରଦାନ କରାଯାଇଛି । ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ କାର୍ଯ୍ଯକ୍ରମରେ ଭାଜପା ସରକାର ଆସିବା ପରଠାରୁ ହୋଇଥିବା ବିକାଶ ମୂଳକ କାର୍ଯ୍ଯର ସବିଶେଷ ହିସାବ ସମସ୍ତଙ୍କ ସମ୍ମୂଖରେ ରଖିଥିଲେ । ସେ କହିଛନ୍ତି ଯେ,ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମଗ୍ରୀକ ବିକାଶ, ଗମନାଗମନ, ରୋଜଗାର ବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ଊନ୍ନତି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଏହି କାର୍ଯ୍ଯକ୍ରମରେ ଲଇକେରା ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ ଙ୍କ ସହିତ ବ୍ଲକର ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ଥିବାବେଳେ ବିଧାୟକ ତ୍ରିପାଠୀ ଅଞ୍ଚଳବାସୀଙ୍କୁ ଆନ୍ତରିକତା କୃତଜ୍ଞତା ଜ୍ଞାପନ ଜଣାଇଥିଲେ ।ଶେଷରେ 'ଏକ୍ ପେଡ୍ ମା କେ ନାମ'ଯୋଜନା ଅଧୀନରେ ବ୍ଲକ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।