ମାଲକାନଗିରି, ୧୮/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳ ରେ କମ୍ବଳ ଫେରି ଵାଲା ବାହାନା ରେ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ,ଏହାର ସୁରାକ ପାଇ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୪ଜଣ ବ୍ୟକ୍ତି ଙ୍କୁ ଗିରଫ କରିବା ସହ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରିଛି। କମ୍ବଳ ବ୍ୟବସାୟ ଆଳରେ ଚାଲିଥିବା ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି କାଲିମେଳା ପୁଲିସ । ବେଆଇନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅତି ଚତୁରତାର ସହ କମ୍ବଳ ବଣ୍ଡଲ ଭିତରେ ଗଞ୍ଜେଇ ଲୁଚାଇ ଚୋରା ଚାଲାଣ କରୁଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ କାଲିମେଳା ପୁଲିସ ପୋତାଖାଲ ଗ୍ରାମ ନିକଟରେ ଚଢ଼ାଉ କରି ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ପୁଲିସ ଗଞ୍ଜେଇ ସହ ଚୋରା ଚାଲାଣରେ ବ୍ୟବହୃତ ୩ଟି ମୋଟର ସାଇକେଲ ଏବଂ ୪ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶ ର ମହମଦ ଜିସାନ (୩୨) ଅଫତାବ ଅଲି (୨୪), ଅରମାନ ଖାନ (୧୯) ଓ ମାଲକାନଗିରି ଜିଲ୍ଲା ଦର୍ବାଗୁଡା ଗ୍ରାମର ଇର୍ମା ପଡ଼ିଆମୀ (୩୫) ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କାଲିମେଳା ଥାନା ପୁଲିସ ଏନଡିପିଏସ ଆକ୍ଟ ଅନୁଯାୟୀ ୧୩୯/୨୬ ରେ ମାମଲା ରୁଜୁ କରି ଚାରି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କାଲିମେଳା ଥାନା ଆଇ ଆଇସି ପ୍ରଭୁଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି ।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ
