‘ବିକାଶର ଧାରା, ଓଡ଼ିଶା ସାରା’: ନୂଆପଡ଼ାରେ ‘ପ୍ରକଳ୍ପ ପରିକ୍ରମା’ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡ଼ା, ୨୧.୦୬ ( ପରମେଶ୍ୱର ମେହେର ) : ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶର ଧାରା ଓଡିଶା ସାରା’ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ‘ପ୍ରକଳ୍ପ ପରିକ୍ରମା’ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଯାଇଛି l ଜିଲ୍ଲାରେ କାର୍ଯ୍ୟାନ୍ୱିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗକୁ ଅବଗତ କରାଇବା ଏହି ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ-କମ୍-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ା ଲମ୍ବୋଦର ଧରୁଆଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଖରିଆର ରୋଡ଼ରେ ନିର୍ମାଣାଧୀନ ଅଟଳ ବସ୍ ଟର୍ମିନାଲ, ମୁଡ଼ାଗାଁର ଆଦର୍ଶ ପୋଖରୀ, ସ୍ମାର୍ଟ ପାର୍କ, ଶ୍ୱେତ ଗଙ୍ଗା ପ୍ରକଳ୍ପ, ହଳଦୀ ପ୍ରକଳ୍ପ ତଥା ନୂଆପଡ଼ାରେ ନିର୍ମାଣାଧୀନ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ କରିଥିଲେ। ଏହି ଅବସରରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରାଯାଇଥିଲା। ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ସିଂ ମାଝୀ, ଉମା ଠାକୁର, ମାଲ୍ୟବନ୍ତ ସୁନା ଓ ମୁରଲୀଧର ଭୋଇ ଯୋଗଦେଇଥିଲେ। ସେହିପରି ବରିଷ୍ଠ ନାଗରିକ ସୀତାରାମ ମେହେର, ନରେନ୍ଦ୍ର ମିଶ୍ର ଓ ସୁଶାନ୍ତ କୁମାର ରଣା ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ନିଜ ମତାମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ସୁପରିଚାଳନାରେ ଜିଲ୍ଲା ପରିଷଦର ଅନିଲ କୁମାର ଲେଙ୍କା, ବିଦେଶ ଘୋଷ, ତେଜପାଲ ଦଣ୍ଡସେନା ଓ ପ୍ରଦୀପ୍ତ ବାରିକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ‘ପ୍ରକଳ୍ପ ପରିକ୍ରମା’ ନୂଆପଡ଼ା ଜିଲ୍ଲାରେ ଚାଲିଥିବା ବିକାଶ ଯାତ୍ରାର ଏକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଜନସମ୍ପୃକ୍ତ ଚିତ୍ର ଉପସ୍ଥାପନ କରିବା ସହ ସମନ୍ୱିତ ଉନ୍ନୟନ ପ୍ରତି ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ପ୍ରତିଫଳିତ କରିଛି।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ