ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ: ୧୬ ଜଣ ଗିରଫ, କୋର୍ଟ ଚାଲାଣ
କଲ୍ୟାଣସିଂହପୁର, ୧୮/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ପିଲାଚୋର ସନ୍ଦେହରେ ଏକ ଯୁବକ ଓ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୧୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବେ ଫେଲୋଶିପ୍ ପ୍ରକଳ୍ପ କାମରେ ଯାଉଥିବା ଜଣେ ଯୁବତୀ ଓ ତାଙ୍କ ପୁରୁଷ ସହଯୋଗୀଙ୍କୁ ସ୍ଥାନୀୟ କିଛି ଲୋକ ପିଲାଚୋର ସନ୍ଦେହ କରି ଅଟକ ରଖିଥିଲେ। ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ନିର୍ଧୁମ ମାଡ଼ ମାରିଥିଲେ। ଏହି ଘଟଣାରେ ଉଭୟ ଯୁବକ ଓ ଯୁବତୀ ଗୁରୁତର ଭାବେ ଆହତ ହୋଇଥିଲେ। ଆକ୍ରମଣକାରୀମାନେ ଯୁବତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ପୋଷାକକୁ ମଧ୍ୟ ଟଣାଓଟରା କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଘଟଣାକୁ ଗୁରୁତ୍ଵ ସହ ନେଇ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପୋଲିସର ତଦନ୍ତ ପରେ ଇନ୍ତାଲିଗୁଡ଼ା, ଚାଚରା, ଧାମୁଣିପଙ୍ଗା ଓ ଆଖପାଖ ଅଞ୍ଚଳର ୧୬ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଗୁରୁବାର ସେମାନଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଗାମୀ ଦିନରେ ଏଭଳି ସନ୍ଦେହ ବଶବର୍ତ୍ତୀ ହୋଇ ଆଇନକୁ ହାତକୁ ନେଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ରାଜ ପ୍ରସାଦ କହିଛନ୍ତି।