ଝାମ୍ପିରେ ରଜର ରଙ୍ଗ, ସଂସ୍କୃତିର ଉତ୍ସବ: ମାଁ ସୁନା ପ୍ରତିମା ଯୁବକ ସଂଘର ୧୧ତମ ବାର୍ଷିକ ରଜ ମହୋତ୍ସବ ଧୁମଧାମରେ ଉଦଯାପିତ
ଖଜୁରୀପଡ଼ା, ୧୭/୦୬ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଝାମ୍ପି ଗ୍ରାମରେ ମାଁ ସୁନା ପ୍ରତିମା ଯୁବକ ସଂଘ ପକ୍ଷରୁ ଆୟୋଜିତ ୧୧ତମ ବାର୍ଷିକ ରଜ ମହୋତ୍ସବ ମଙ୍ଗଳବାର ଉତ୍ସାହ ଓ ଉଦ୍ଦୀପନାର ସହିତ ଉଦଯାପିତ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ଯୁବ ପ୍ରତିଭାର ଏକ ମିଳନ ମଞ୍ଚରେ ପରିଣତ ହୋଇଥିଲା। ରଜ ପର୍ବର ପାରମ୍ପରିକତାକୁ ଉଜ୍ଜ୍ୱଳ କରିବା ସହ ଯୁବପିଢ଼ୀଙ୍କ ମଧ୍ୟରେ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମହୋତ୍ସବରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇ କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲେ।ସମାପନୀ ଉତ୍ସବରେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ସମାଜକୁ ସାମାଜିକ ଉନ୍ନତି ଓ ସଂସ୍କୃତିର ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ କୁଇ ସମାଜ ସେବା ସମିତି ଫୁଲବାଣୀର ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚା ଉପସଭାପତି ଶ୍ରୀ ଅବନୀ କୁମାର କହଁର, କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ସଭାପତି ଦିବ୍ୟ ରଞ୍ଜନ ଡାକୁଆ, ଜିଲ୍ଲା ବିଜେପି ସମ୍ପାଦକ ମୁକ୍ତିକାନ୍ତ ମହାନ୍ତି, ଖଜୁରୀପଡ଼ା ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର,ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଯୁବମୋର୍ଚ୍ଚା ସଭାପତି ସମିର ପ୍ରସାଦ ଝାଙ୍କର, ଜନଜାତି ମୋର୍ଚ୍ଚା ସଭାପତି ସୁଜିତ କୁମାର ମଲ୍ଲିକ, ଓବିସି ମୋର୍ଚ୍ଚା ସଭାପତି ରୋହିତ କୁମାର ପ୍ରଧାନ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ସଭାପତି ବିରେନ୍ଦ୍ର କୁମାର କହଁର, ବ୍ୟାଙ୍କ ଅଫ୍ ଇଣ୍ଡିଆ କୃଷ୍ଣଚନ୍ଦ୍ର କହଁର ଏବଂ କୁଇ ସମାଜ ଯୁବ ପରିଷଦ କନ୍ଧମାଳର ସମ୍ପାଦକ ଅଚ୍ୟୁତ ଜାନୀ ପ୍ରମୁଖ ଯୋଗଦେଇ ଥିଲେ।ଉଲ୍ଲେଖଯୋଗ୍ୟ ଯେ, ରବିବାର ପୂର୍ବତନ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା କୁଇ ସମାଜ ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁରଙ୍କ ଦ୍ୱାରା ମହୋତ୍ସବର ଶୁଭ ଉଦ୍ଘାଟନ କରାଯାଇଥିଲା। ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ଅଞ୍ଚଳର ଯୁବକ ଓ ଯୁବତୀମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ା, ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତା ଗୁଡ଼ିକରେ ବହୁ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ସମାପନୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପୁରସ୍କାର ବିତରଣ ପରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା, ଯାହା ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା।ମହୋତ୍ସବର ସଫଳ ଆୟୋଜନରେ ମାଁ ସୁନା ପ୍ରତିମା ଯୁବକ ସଂଘର ସଭାପତି ନଳୀତ କହଁର, ସମ୍ପାଦକ ମାନସ କହଁର, ଭାବିନ୍ଦ୍ର କହଁର, ବିନୋଦ କହଁର, ଦୁଷ୍ମନ୍ତ ସାହୁଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ସେମାନଙ୍କର ସମନ୍ୱିତ ପ୍ରୟାସ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ମହୋତ୍ସବଟି ସଫଳତାର ସହ ଉଦଯାପିତ ହୋଇଥିବା ଆୟୋଜକ ମାନେ ପ୍ରକାଶ କରିଛନ୍ତି। ରଜ ପର୍ବର ଉତ୍ସାହ, ଗ୍ରାମୀଣ ସଂସ୍କୃତିର ଝଲକ ଏବଂ ଯୁବଶକ୍ତିର ସମାଗମ ଏହି ମହୋତ୍ସବକୁ ଏକ ସ୍ମରଣୀୟ ଆୟୋଜନରେ ପରିଣତ କରିଥିବାବେଳେ, ଆଗାମୀ ବର୍ଷଗୁଡ଼ିକରେ ଏହା ଆହୁରି ବ୍ୟାପକ ରୂପ ନେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।