ପୁରୁଣା ପଥର ଶିଳ୍ପକୁ ବଞ୍ଚାଇ ରଖିଛି କନ୍ଦାଗଡ଼ ଗାଁ
ଆମପାଣି, ୨୫/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଆମପାଣି ଅଞ୍ଚଳ ତାର ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଯେତିକି ପରିଚିତ, ସେତିକି ପରିଚିତ ଏହି ଅଞ୍ଚଳର ପୁରାତନ ପଥର ଶିଳ୍ପ ପରମ୍ପରା ପାଇଁ। କୋକସରା ବ୍ଲକର କନ୍ଦାଗଡ଼ ଗାଁରେ ଆଜି ବି ପଥରକୁ ଜୀବନ ଦେଉଛନ୍ତି ଶିଳ୍ପୀମାନେ। ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ଏହି କଳା ଆଜି ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବା ବେଳେ, ଶିଳ୍ପୀମାନେ ଏକ ଟ୍ରେନିଂ ହବ୍ ସ୍ଥାପନ ପାଇଁ ଦାବି କରିଛନ୍ତି। କୋକସରା ବ୍ଲକର ଆମପାଣି ନିକଟସ୍ଥ କନ୍ଦାଗଡ଼ ଗାଁ। ଗାଁର ନାମ ଶୁଣିଲେ ମନକୁ ଆସେ ପଥର ଶିଳ୍ପର କଥା। ସକାଳର ପ୍ରଥମ କିରଣ ପଡ଼ିବା ମାତ୍ରେ ଶିଳ୍ପୀମାନେ ନିହାଣ, ହାତୁଡ଼ି ଓ ଅନ୍ୟାନ୍ୟ ଉପକରଣ ଧରି କାମରେ ଲାଗି ପଡ଼ନ୍ତି। ବଡ଼ ବଡ଼ ପଥର ଖଣ୍ଡକୁ ଧୀରେ ଧୀରେ କାଟି, ଘଷି ଓ ଗଢ଼ି ସୁନ୍ଦର ମୂର୍ତ୍ତିର ରୂପ ଦିଆଯାଉଛି। ଶିଳ୍ପୀମାନଙ୍କ ହାତରେ ପଥର କେବଳ ପଥର ହୋଇ ରହେନାହିଁ। ସେଥିରୁ ବାହାରି ଆସେ ଦେବଦେବୀଙ୍କ ମୂର୍ତ୍ତି, ପଶୁପକ୍ଷୀର ଆକୃତି, ସାଂସ୍କୃତିକ ପ୍ରତୀକ ଓ ବିଭିନ୍ନ କଳାକୃତି। ଗାଁର ବୟସ୍କ ଶିଳ୍ପୀଠାରୁ ଆରମ୍ଭ କରି ଯୁବ ଶିଳ୍ପୀ ପର୍ଯ୍ୟନ୍ତ ସମସ୍ତେ ଏହି କଳା ସହ ଜଡ଼ିତ ଅଛନ୍ତି। ବାପାଠାରୁ ପୁଅ ଓ ପୁଅଠାରୁ ନାତି ପର୍ଯ୍ୟନ୍ତ ଏହି କଳା ହସ୍ତାନ୍ତର ହୋଇ ଆସୁଛି। କନ୍ଦାଗଡ଼ର ପଥର ଶିଳ୍ପକୁ ସ୍ଥାନୀୟ ଲୋକମାନେ ବୁଢ଼ାରଜାଙ୍କ ସଂସ୍କୃତି ସହ ଜଡ଼ିତ ବୋଲି ମନେ କରନ୍ତି। ଏହା କେବଳ ଏକ କଳା ନୁହେଁ, ବରଂ ଏହି ଅଞ୍ଚଳର ପରିଚୟ, ଗୌରବ ଓ ଐତିହ୍ୟ। ଶତାବ୍ଦୀ ଧରି ଏହି କଳା ଶିଳ୍ପୀମାନଙ୍କ ନିଷ୍ଠା ଓ ପରିଶ୍ରମ ବଳରେ ବଞ୍ଚି ରହିଛି। ତେବେ ବଦଳୁଥିବା ସମୟ ସହ ଏହି କଳା ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ପୂର୍ବଭଳି ବଜାର ସୁବିଧା ନାହିଁ, ସରକାରୀ ସହାୟତା ମଧ୍ୟ ସୀମିତ। ଅନ୍ୟପଟେ ଅନେକ ଯୁବକ ଜୀବିକା ଅନ୍ୱେଷଣରେ ବାହାରକୁ ଚାଲିଯାଉଥିବାରୁ ଧୀରେ ଧୀରେ ଏହି ପାରମ୍ପରିକ କଳା ହଜିଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେଥିପାଇଁ ଶିଳ୍ପୀମାନେ ସରକାରଙ୍କ ନିକଟରେ ଗାଁରେ ଏକ ସ୍ୱତନ୍ତ୍ର ଟ୍ରେନିଂ ହବ୍ ସ୍ଥାପନ ପାଇଁ ଦାବି କରୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଯଦି ନୂଆ ପିଢ଼ିକୁ ନିୟମିତ ପ୍ରଶିକ୍ଷଣ ଓ ବଜାର ସୁବିଧା ମିଳେ, ତେବେ ଏହି କଳା କେବଳ ବଞ୍ଚି ରହିବ ନୁହେଁ, ବରଂ ଦେଶ ବିଦେଶରେ କଳାହାଣ୍ଡିର ପରିଚୟ ସୃଷ୍ଟି କରିପାରିବ। ପଥରର ନିର୍ଜୀବ ଖଣ୍ଡକୁ ଜୀବନ୍ତ କରୁଥିବା ଏହି ଶିଳ୍ପୀମାନଙ୍କ ହାତରେ ଲୁକାଇ ରହିଛି କଳାହାଣ୍ଡିର ଇତିହାସ, ସଂସ୍କୃତି ଓ ପରିଚୟ। ସରକାରୀ ପ୍ରୋତ୍ସାହନ ଓ ଉପଯୁକ୍ତ ସହଯୋଗ ମିଳିଲେ କନ୍ଦାଗଡ଼ର ଏହି ପଥର ଶିଳ୍ପ ଆଗାମୀ ଦିନରେ ଏକ ବଡ଼ ପର୍ଯ୍ୟଟନ ଓ ସାଂସ୍କୃତିକ କେନ୍ଦ୍ର ଭାବେ ଗଢ଼ି ଉଠିପାରିବ।