Hot Posts

6/recent/ticker-posts

କଳାହାଣ୍ଡିରେ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ଜୁନାଗଡ଼, ୨୫/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ରୁ ଆସିଛି ଏକ ମର୍ମନ୍ତୁଦ ଖବର। ୮ ବର୍ଷର ପ୍ରେମ ସମ୍ପର୍କ ଓ ଦାମ୍ପତ୍ୟ ଜୀବନର ଅନ୍ତ ଘଟିଛି ଏକ ସନ୍ଦେହଜନକ ମୃତ୍ୟୁରେ। ପତ୍ନୀଙ୍କ ମୃତ୍ୟୁକୁ ନେଇ ଏବେ ସୃଷ୍ଟି ହୋଇଛି ବଡ଼ ବିବାଦ। ପୋଲିସ ଏହାକୁ ପ୍ରାଥମିକ ଭାବେ ଆତ୍ମହତ୍ୟା ବୋଲି କହୁଥିବା ବେଳେ, ପରିବାର ଲୋକେ ଆଣିଛନ୍ତି ସୁପରିକଳ୍ପିତ ହତ୍ୟାକାଣ୍ଡର ସାଂଘାତିକ ଅଭିଯୋଗ। କ’ଣ ରହିଛି ଏହି ଘଟଣା ପଛର ସତ୍ୟ? କଳାହାଣ୍ଡି ଜୁନାଗଡ଼ ବ୍ଲକ୍‌ର ବଳଦିଆମଲ୍ ଗ୍ରାମର ସୁନିଲ କୁମାର ମେହେର ଏବଂ ପୁଷ୍ପାଞ୍ଜଳି ଲହଜଲ। ପ୍ରାୟ ୮ ବର୍ଷ ପୂର୍ବେ ପରିବାରର ବିରୋଧ ସତ୍ତ୍ୱେ, ସମାଜକୁ ପଛରେ ପକାଇ ଉଭୟ ପ୍ରେମ ବିବାହ କରିଥିଲେ। ଜୁନାଗଡ଼ରେ ଭଡ଼ା ଘର ନେଇ ଆରମ୍ଭ କରିଥିଲେ ନିଜର ଦାମ୍ପତ୍ୟ ଜୀବନ। କିନ୍ତୁ କିଏ ଜାଣିଥିଲା, ଏହି ସଂସାରରେ ଲାଗିବ ଅଭିଶାପର ନଜର ! ଗତ ୨୩ ଜୁନ୍‌ରେ ପୁଷ୍ପାଞ୍ଜଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ସ୍ତବ୍ଧ ହୋଇଯାଇଛି ସ୍ଥାନୀୟ ଅଞ୍ଚଳ। ସ୍ୱାମୀ ସୁନିଲଙ୍କ ବୟାନ ଅନୁଯାୟୀ, ଗତ ୨୨ ତାରିଖ ରାତିରେ ସେ ନିଜ ବାପା-ମାଆଙ୍କ ଘରକୁ ଯାଇଥିଲେ। ୨୩ ତାରିଖ ସକାଳେ ଫେରିବା ପରେ ପତ୍ନୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଜୁନାଗଡ଼ ଥାନାକୁ ସୂଚନା ଦେଇଥିଲେ। ଏପଟେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକେ ଏହାକୁ ମାନିବାକୁ ନାରାଜ। ସେମାନେ ସିଧାସଳଖ ହତ୍ୟା ଅଭିଯୋଗ ଆଣିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନଙ୍କ କହିବା କଥା, ଏହା ଆତ୍ମହତ୍ୟା ନୁହେଁ, ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ବର୍ତ୍ତମାନ ପୁଷ୍ପାଞ୍ଜଳିଙ୍କ ଶବ ବ୍ୟବଚ୍ଛେଦ ଜୁନାଗଡ଼ ହସ୍ପିଟାଲରେ ସମ୍ପନ୍ନ ହୋଇଛି। ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିଲେ ମଧ୍ୟ, ପରିବାରର ଅଭିଯୋଗ ପରେ ଘଟଣାର ମୋଡ଼ ବଦଳିଛି। ଏବେ ପ୍ରଶ୍ନ ଉଠୁଛି—୮ ବର୍ଷର ସଂସାର କ’ଣ ହଠାତ୍ ଏଭଳି ଚରମ ପରିଣତି ଆଡ଼କୁ ଗଲା? ନା, ଏହା ପଛରେ ରହିଛି କୌଣସି ଗୁମର ଖୋଲା ରହସ୍ୟ? ପୋଲିସର ତଦନ୍ତ ଏବଂ ପରିବାରର ଅଭିଯୋଗ ମଧ୍ୟରେ ଏବେ ଘଟଣାର ସତ୍ୟାସତ୍ୟ ଉପରୁ ପରଦା ହଟାଇବା ଜରୁରୀ ହୋଇପଡ଼ିଛି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ