Hot Posts

6/recent/ticker-posts

ଲୁଟ୍ ପରେ ଦ୍ରୁତଗାମୀ କାରର ତାଣ୍ଡବ: ୧୩ ବର୍ଷୀୟ ନାବାଳକ ଗୁରୁତର, ଜଣେ ଅଭିଯୁକ୍ତ ଧରାପଡ଼ିଲେ

ରାୟଗଡ଼ା, ୨୫/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାର ତଳ ଗୁମ୍ମା ନିକଟ ଜାତୀୟ ରାଜପଥ- ୩୨୬ରେ ଆଜି ସକାଳେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ପ୍ରଥମେ ଜଣେ ଫେରିବାଲାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିବା ବେଳେ, ପରେ ଫେରାର ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଲୁଟ୍ କରିବା ପରେ ଦୁର୍ବୃତ୍ତମାନେ ଏକ କାରରେ ଦ୍ରୁତ ଗତିରେ ପଳାଉଥିବା ବେଳେ ୧୩ ବର୍ଷୀୟ ନାବାଳକ ଆୟୁଷଙ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ଥିବା ଖାଲରେ ଓଲଟି ପଡ଼ିଥିଲା। ଆହତ ଆୟୁଷ ତାଙ୍କ ପିତାଙ୍କ ସହ କିଆପାଡୁ ଗ୍ରାମରୁ ଗୁମ୍ମା ସ୍କୁଲରେ ଭର୍ତ୍ତି ହେବା ପାଇଁ ଆସୁଥିଲେ। ଗାଡ଼ିରୁ ଓହ୍ଲାଇ ପରିଶ୍ରା କରିବାକୁ ଯାଇଥିବା ସମୟରେ ଦ୍ରୁତଗାମୀ କାରଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଦୁଇଟି ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ କାରରେ ଥିବା କିଛି ଅଭିଯୁକ୍ତ ପାହାଡ଼ ଆଡ଼କୁ ଫେରାର ହୋଇଯାଇଥିବା ବେଳେ, ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ହାତରେ ଦେଇଛନ୍ତି। ଗୁରୁତର ଆହତ ଆୟୁଷଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏପଟେ ଲୁଟ୍‌ର ଶିକାର ହୋଇଥିବା ଫେରିବାଲା ରାୟଗଡ଼ା ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। କୁମ୍ବିକୋଟା ଫାଣ୍ଡି ଓ ରାୟଗଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟ୍ ଏବଂ ଦୁର୍ଘଟଣା ଘଟଣାର ତଦନ୍ତ ଜାରି ରଖିଛନ୍ତି। ପଳାତକ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ାଉ ଜାରି ରଖିଛି।