ଜିଲ୍ଲାସ୍ତରୀୟ ବିକଶିତ ଓଡ଼ିଶା–୨୦୩୬ ସମ୍ମିଳନୀ ଅନୁଷ୍ଠିତ
ଭବାନୀପାଟଣା, ୧୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ହଲ୍ଠାରେ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅବସରରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ “ବିକଶିତ ଓଡ଼ିଶା–୨୦୩୬” ଉପରେ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ନିମନ୍ତେ ଦୀର୍ଘମିଆଦୀ ଦୃଷ୍ଟିକୋଣ, ପ୍ରାଥମିକତା ଓ ବିକାଶ ରୋଡମ୍ୟାପ ଉପରେ ଆଲୋଚନା କରିବା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ, ରେଜିଷ୍ଟ୍ରାର ଡ. ଗୁଣନିଧି ନାଏକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କେଦାର ସିଂ ବରିହା, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀ ଶ୍ରୀକାନ୍ତ ଦଲେଇ, ଥୁଆମୂଳ ରାମପୁର ବିଡିଓ ଶ୍ରୀ ଧୃବ ଚରଣ ମୁଦୁଲି ଏବଂ ମଦନପୁର ରାମପୁର ବିଡିଓ ଶ୍ରୀ ସରତ କୁମାର ସେଠୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମ୍ମିଳନୀରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ, ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାରେ ହାସଲ ହୋଇଥିବା ସଫଳତା, ତୃଣମୂଳ ସ୍ତରରେ ସରକାରୀ ଯୋଜନାର ପ୍ରଭାବ ଏବଂ ଭବିଷ୍ୟତ ବିକାଶର ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲାର ବିକାଶମୂଳକ ଆକାଂକ୍ଷା, କ୍ଷେତ୍ରଭିତ୍ତିକ ପ୍ରାଥମିକତା, ବିଭିନ୍ନ ଚ୍ୟାଲେଞ୍ଜ, ସୁଯୋଗ ଏବଂ “ବିକଶିତ ଓଡ଼ିଶା–୨୦୩୬” ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ରଣନୀତି ଉପରେ ମତ ବିନିମୟ କରାଯାଇଥିଲା । ସମାବେଶୀ ବିକାଶ, ମାନବ ସମ୍ପଦ ବିକାଶ, ଭିତ୍ତିଭୂମି ସୁଦୃଢ଼ୀକରଣ, ଜୀବିକା ଉନ୍ନୟନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସରକାରୀ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ ଏବଂ ସରକାରୀ ଯୋଜନାର ସଫଳତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ଆୟୋଜିତ ହେଉଥିବା ଜନସମ୍ପର୍କ ଏବଂ ସିଟିଜେନ୍ ଏନ୍ଗେଜମେଣ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଅତିଥିମାନେ ଏକ ବିକଶିତ ଓଡ଼ିଶା ଗଠନରେ ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସ୍ଥାନୀୟ ପ୍ରଶାସନ ଏବଂ ସମୁଦାୟର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ