Hot Posts

6/recent/ticker-posts

ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସ ନେଲା ଯୁବକଙ୍କ ଜୀବନ, ୬ ଗିରଫ

ବଲାଙ୍ଗୀର, ୧୩/୦୬ ( ମୋତିଲାଲ ସାହୁ ) : ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସ ଶେଷରେ ଜଣେ ନିରୀହ ଯୁବକଙ୍କ ଜୀବନ ଯାଇଛି । ଏହି ମାମଲାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ନାବାଳକଙ୍କୁ ଜୁଭେନାଇଲ କୋର୍ଟକୁ ଫରୱାର୍ଡ କରାଯାଇଛି। ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତର କୁଠୁର୍ଲା ଗ୍ରାମର ଗଦାଧର ମଲ୍ଲିକ (୩୩) ଗତ ଗୁରୁବାର ରାତିରେ ଗ୍ରାମ ନିକଟସ୍ଥ ଛୋଟିଆ କେନାଲକୁ ମାଛ ଧରିବାକୁ ଯାଇଥିଲେ। ସେହି ସମୟରେ ବାରହା ଶିକାର ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ଟ୍ରାନ୍ସଫର୍ମରରୁ ବେଆଇନ ଭାବେ ବିଦ୍ୟୁତ ସଂଯୋଗ ନେଇ ଜମି ନିକଟରେ ଫାସ ଖେଳିଥିଲେ । ସେହି ବିଛାଯାଇଥିବା ତାରରେ ସେ ଫସି ଯାଇ ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗ ଅନୁସାରେ, ଘଟଣା ପରେ ଦୋଷୀମାନେ ନିଜ ଅପରାଧ ଲୁଚାଇବା ପାଇଁ ଗଦାଧରଙ୍କ ମୃତଦେହକୁ ପ୍ରାୟ ୨ରୁ ୩ କିଲୋମିଟର ଦୂର ଜଙ୍ଗଲ ଭିତରକୁ ନେଇ ପୋତି ଦେଇଥିଲେ। ଖବର ପାଇ ଖପ୍ରାଖୋଲ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଓ ସାଇଣ୍ଟିଫିକ ଟିମ୍‌?ର ଉପସ୍ଥିତିରେ ପଥର ତଳେ ପୋତାଯାଇଥିବା ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହି ଘଟଣାକୁ ନେଇ ଖପ୍ରାଖୋଲ ଥାନାରେ କେସ୍ ନଂ-୧୧୬/୨୬ ରୁଜୁ କରି ତଦନ୍ତ ପରେ ପୋଲିସ ରାଜେଶ ଭୁଏ, ଦୀନବନ୍ଧୁ ବରିହା, ଡିଲେଶ୍ୱର ଭୁଏ, କୃଷ୍ଣ ଭୁଏ, ଦୟାନିଧି ଭୁଏ ଓ ନାବାଳକ ସୁନୀଲ ମଲ୍ଲିକଙ୍କୁ ଗିରଫ କରିଥିଲା। ଏଥିମଧ୍ୟରୁ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ସୁନୀଲ ମଲ୍ଲିକଙ୍କୁ ଜୁଭେନାଇଲ କୋର୍ଟକୁ ଫରୱାର୍ଡ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି। ଗଦାଧର ମଲ୍ଲିକଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ କୁନି ଝିଅ ବେସାହାରା ହୋଇପଡ଼ିଥିବା ବେଳେ, ପରିବାରକୁ ଯଥୋଚିତ କ୍ଷତିପୂରଣ ଏବଂ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।