ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ କଶିଆତଙ୍ଗ ଗାଁରେ ବିଜୁଳି.
ମାଥିଲି ୭/୬, (ନବଦୂତ ନ୍ୟୁଜ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମ ପଞ୍ଚାୟତର କଶିଆତଙ୍ଗ ଗ୍ରାମ ସ୍ୱାଧୀନତା ପରଠାରୁ ମୌଳିକ ସୁବିଧା ଭାବେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଆସୁଥିଲା। ବର୍ଷ ବର୍ଷ ଧରି ଗ୍ରାମବାସୀମାନେ ଅନ୍ଧାର ମଧ୍ୟରେ ଜୀବନ ବିତାଉଥିବା ବେଳେ ବିଭିନ୍ନ ସମୟରେ ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ନିକଟରେ ଅଭିଯୋଗ ଓ ଦାବି ଜଣାଇଥିଲେ। ତେବେ ସେହି ଅଭିଯୋଗର କୌଣସି ସ୍ଥାୟୀ ସମାଧାନ ହୋଇପାରିନଥିଲା। ଗ୍ରାମରେ ବିଦ୍ୟୁତ ସଂଯୋଗ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ମହିଳାମାନଙ୍କ ଦୈନନ୍ଦିନ କାର୍ଯ୍ୟ, ଚାଷୀମାନଙ୍କ କୃଷିକାର୍ଯ୍ୟ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଭାବିତ ହେଉଥିଲା। ସନ୍ଧ୍ୟା ହେଲେ ସମଗ୍ର ଗାଁ ଅନ୍ଧକାରରେ ବୁଡ଼ି ଯାଉଥିଲା। ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଥିବା ବେଳେ ଗ୍ରାମବାସୀମାନେ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ଲକ୍ଷ୍ମୀପ୍ରିୟା ନାୟକ ଏହି ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲେ। ସେ ତୁରନ୍ତ ବିଦ୍ୟୁତ ବିଭାଗ ଓ ଲାଇନ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଗ୍ରାମର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ତାଙ୍କର ନିରନ୍ତର ପ୍ରୟାସ ପରେ ବିଦ୍ୟୁତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଗ୍ରାମକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିଲା। ଶେଷରେ କଶିଆତଙ୍ଗ ଗ୍ରାମରେ ବିଦ୍ୟୁତ ଆଲୋକ ଜଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଏହି ସ୍ୱପ୍ନ ପୂରଣ ହୋଇଥିବାରୁ ସେମାନେ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଗ୍ରାମବାସୀମାନେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଅନେକ ସ୍ତରରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା। କିନ୍ତୁ ଲକ୍ଷ୍ମୀପ୍ରିୟା ନାୟକଙ୍କ ହସ୍ତକ୍ଷେପ ପରେ ଖୁବ୍ କମ୍ ସମୟ ମଧ୍ୟରେ ବିଦ୍ୟୁତ ସଂଯୋଗ ସମ୍ଭବ ହୋଇପାରିଛି। ଏହା ଫଳରେ ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଜୀବନରେ ନୂଆ ଦିଗନ୍ତ ଉନ୍ମୋଚିତ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।