Hot Posts

6/recent/ticker-posts

ସିଂହପୁର ପଞ୍ଚାୟତରେ ଗ୍ରାମ ଶ୍ମଶାନ ନିର୍ମାଣ ଚାଲିଛି ପ୍ରତୀକ୍ଷାର ଅନ୍ତ, ସ୍ଥାନୀୟ ଲୋକେ ଶବ ଦାହ ଦହଗଞ୍ଜରୁ ମୁକ୍ତି ପାଇବେ

ବିଂଝାରପୁର ୬/୬ (ପ୍ରଦୀପ କୁମାର ମଲ୍ଲିକ) : ଜଣକ ପରେ ଜଣେ ସରପଞ୍ଚ ଗାଁ ମୁଖିଆ ଦାୟିତ୍ୱ ତୁଲାଇଛନ୍ତି। ମାତ୍ର ସରକାରୀ ଅନୁଦାନ ଥିବା ସତ୍ତ୍ଵେ ସିଂହପୁର ପଞ୍ଚାୟତରେ ଗ୍ରାମ ଶ୍ମଶାନଟିଏ ନିର୍ମାଣ ହୋଇ ପାରୁନି। ପଞ୍ଚାୟତର ୧, ୫,୬,୧୧ ଓ ୧୨ ନମ୍ବର ଦଳିତ ସାହି, ସାହୁ ସାହିର ବାସିନ୍ଦା ଶବ ଦାହ ପାଇଁ ନାନାଦି ଅସୁବିଧାର ସମ୍ମୁଖିନ ହୁଅନ୍ତି । ଶ୍ମଶାନ ଅଭାବରୁ ବର୍ଷା ଦିନେ ଳୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ଦହଗଞ୍ଜ ଭୋଗିବାକୁ ପଡେ। କୋକେଇ ଧରି ବହୁ କଷ୍ଟରେ ଲୋକେ ବିଲ ମଝିରେ ସଂସ୍କାର କାର୍ଯ୍ୟ କରିଥାନ୍ତି । ଏବର ସରପଞ୍ଚ ଶଶାଙ୍କ ଶେଖର ଖିଲାର ଏହାକୁ ମର୍ମେ ମର୍ମେ ଅନୁଭବ କରୁଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତିଙ୍କ ବିରୋଧାଭାସ ଯୋଗୁଁ ଶ୍ମଶାନ ନିର୍ମାଣ ହୋଇ ପାରୁ ନଥିଲା। ଦୃଢ଼ ପ୍ରତିଜ୍ଞ ସରପଞ୍ଚ ଶେଷରେ ଗ୍ରାମବାସୀଙ୍କ ସହଯୋଗରେ ଶ୍ମଶାନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଜସ୍ୱ ନିରୀକ୍ଷକ ସୋମନାଥ ନାୟକ, ପୋଲିସ୍,ଗଣମାଧ୍ୟମ ପ୍ରତିନିଧି ଓ ୱାର୍ଡ ସଭ୍ୟ, ସଭ୍ୟାଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିପାଇଁ ୨ ଲକ୍ଷ ଟଙ୍କାର ଅନୁଦାନ ଶ୍ମଶାନ ପାଇଁ ପର୍ଯ୍ୟାପ୍ତ ନୁହେଁ। ତଥାପି ସରପଞ୍ଚ ଶ୍ମଶାନ ନିର୍ମାଣ ପାଇଁ ବଦ୍ଧପରିକର । ରାଜସ୍ୱ ନିରୀକ୍ଷକଙ୍କ ଠାରୁ ପ୍ରସ୍ତାବିତ ସରକାରୀ ଜାଗାରେ ଶ୍ମଶାନ ପାଇଁ ଅନୁମୋଦନ ମିଳିବା ପରେ ନିର୍ମାଣ କାର୍ଯ୍ୟ ଚାଲିଛି। ଗ୍ରାମ ଶ୍ମଶାନ ଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯେଉଁଠାରେ ମୃତ ବ୍ୟକ୍ତିଙ୍କର ଶେଷ କ୍ରିୟା ସମ୍ପନ୍ନ କରାଯାଏ। ଏହା ସାଧାରଣତଃ ଗ୍ରାମର ବାହାର ଅଞ୍ଚଳରେ କିମ୍ବା ନଦୀ, ପୋଖରୀ ପାଖରେ ଥାଏ। ଶ୍ମଶାନ କେବଳ ଦାହସଂସ୍କାରର ସ୍ଥାନ ନୁହେଁ, ଏହା ମଣିଷ ଜୀବନର ଅନିତ୍ୟତାକୁ ମଧ୍ୟ ସ୍ମରଣ କରାଏ। ଗ୍ରାମବାସୀମାନେ ଏଠାରେ ସମ୍ମିଳିତ ଭାବେ ଶେଷ କାର୍ଯ୍ୟ ସମ୍ପନ୍ନ କରି ସହଯୋଗ ଓ ସାମାଜିକ ଏକତାର ପରିଚୟ ଦେଇଥାନ୍ତି। ଏକ ସୁଚିତ୍ର ଓ ସୁବ୍ୟବସ୍ଥିତ ଶ୍ମଶାନ ଗ୍ରାମର ସାମାଜିକ ଉନ୍ନତି ଓ ସଭ୍ୟତାର ପ୍ରତୀକ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିବା ସହ ଏହାକୁ ବିରୋଧ କରାଯିବା ଠିକ୍ ନୁହେଁ।