Hot Posts

6/recent/ticker-posts

ନୂଆପଡ଼ାରେ PCPNDT ଆଇନ ଉପରେ ସମୀକ୍ଷା ବୈଠକ। ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବାକୁ କଡ଼ା ପଦକ୍ଷେପ ପାଇଁ ନିର୍ଦ୍ଦେଶ।

ନୂଆପଡ଼ା, ୨୧/୦୫ ( ପରମେଶ୍ୱର ମେହେର ) : ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ଭଳି ସମାଜ ବିରୋଧୀ କାର୍ଯ୍ୟକଳାପକୁ ରୋକିବା ଉଦ୍ଦେଶ୍ୟରେ Pre-Conception and Pre-Natal Diagnostic Techniques (PCPNDT) Act, 1994 ର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସରକାରୀ ଡାକ୍ତରଖାନା ଏବଂ ବେସରକାରୀ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍‌ର ମାଲିକ ଓ କାର୍ଯ୍ୟରତ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ। PCPNDT ଆଇନର ବିଭିନ୍ନ ନିୟମାବଳୀ, ଆଇନଗତ ଦାୟିତ୍ୱ ଓ ଉଲ୍ଲଂଘନ କଲେ ହେବାକୁଥିବା କଠୋର ଦଣ୍ଡ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲାପାଳ ଅବୈଧ ଲିଙ୍ଗ ନିର୍ଣ୍ଣୟ ଓ ଭ୍ରୂଣ ହତ୍ୟାକୁ କଡ଼ାଭାବେ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଜିଲ୍ଲାର ଔଷଧ ଦୋକାନଗୁଡ଼ିକରେ ଭ୍ରୂଣ ହତ୍ୟା ସମ୍ବନ୍ଧୀୟ ଔଷଧର ଅବୈଧ ବିକ୍ରୟ ରୋକିବା ପାଇଁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଆକସ୍ମିକ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବେସରକାରୀ କ୍ଲିନିକ୍‌ଗୁଡ଼ିକରେ ମଧ୍ୟ ନିୟମିତ ଆକସ୍ମିକ ଯାଞ୍ଚ କରାଯିବ ବୋଲି କହିଥିଲେ। ଗର୍ଭପାତ ପାଇଁ କୌଣସି ବ୍ୟକ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କୁ ସମ୍ପର୍କ କଲେ, ସେହି ସମସ୍ତ ତଥ୍ୟ ଗୋପନୀୟ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜୀବନ ପ୍ରତି ବିପଦ ଦେଖାଇ ଅବୈଧ ଗର୍ଭପାତ କରାଯାଉଛି କି ନାହିଁ, ସେଥିପାଇଁ ସିଡିଏମଓଙ୍କୁ ବିଶେଷ ଅଧ୍ୟୟନ କରିବାକୁ ମଧ୍ୟ କହିଥିଲେ। ଏହି ସମୀକ୍ଷା ବୈଠକ ପ୍ରତି ଦୁଇ ମାସରେ ଥରେ ଆୟୋଜନ କରାଯିବା ପାଇଁ ଜିଲ୍ଲାପାଳ କହିଥିଲେ। ସେ କହିଥିଲେ ଯେ, PCPNDT ଆଇନର କଡ଼ା ପାଳନ କରିବା ସମସ୍ତ କ୍ଲିନିକ୍ ଓ ଡାକ୍ତରମାନଙ୍କର ଆଇନଗତ ଏବଂ ନୈତିକ ଦାୟିତ୍ୱ। ଲିଙ୍ଗ ଚୟନ ଭଳି ଅପରାଧ ସମାଜର ସାମାଜିକ ସନ୍ତୁଳନକୁ ବିପର୍ଯ୍ୟସ୍ତ କରୁଛି ଏବଂ ଏହାକୁ ମୂଳୋତ୍ପାଟନ କରିବା ପାଇଁ ପ୍ରଶାସନ ସହ ସମସ୍ତ ଚିକିତ୍ସକଙ୍କ ସକ୍ରିୟ ସହଯୋଗ ଆବଶ୍ୟକ। ଗର୍ଭବତୀ ମହିଳାମାନଙ୍କ ପାଇଁ ନିଶୁଳ୍କ ଅଲ୍ଟ୍ରାସାଉଣ୍ଡ ସେବାର ସଠିକ୍ ରୂପାୟନ, ଆପାତକାଳୀନ USG ସୁବିଧା, ସଚେତନତା କାର୍ଯ୍ୟକ୍ରମ ଏବଂ ଡାକ୍ତରଖାନା ସ୍ତରରେ ନିୟମିତ ସମୀକ୍ଷାକୁ ପ୍ରଶାସନ ଗୁରୁତ୍ୱ ଦେବ ବୋଲି ସେ କହିଥିଲେ। ଜିଲ୍ଲାର କୌଣସି ଔଷଧ ଦୋକାନରେ ଭ୍ରୂଣ ହତ୍ୟା ପାଇଁ ଔଷଧ ବିକ୍ରୟକୁ କଡ଼ାଭାବେ ବନ୍ଦ କରାଯିବ ବୋଲି ମଧ୍ୟ ସଚେତନ କରାଯାଇଥିଲା। ବୈଠକରେ USG ସେବାର ସଂଖ୍ୟା ବୃଦ୍ଧି, ବ୍ଲକ ସ୍ତରରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ କମ୍‌ରେ କମ୍‌ ଗୋଟିଏଥର USG ପରୀକ୍ଷା ସୁନିଶ୍ଚିତ କରିବା ଏବଂ PCPNDT ଆଇନ ଉଲ୍ଲଂଘନ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ମେଡିସିନ୍ ସ୍ପେସାଲିଷ୍ଟ ଡା. ଅଜୟ କୁମାର ପଣ୍ଡା, ଡିପିଏମ୍ ଏନଏଚଏମ୍ ସତ୍ୟନାରାୟଣ ତ୍ରିପାଠୀ ସହ ଅନ୍ୟାନ୍ୟ ଚିକିତ୍ସା ଅଧିକାରୀ ଓ ସମ୍ପର୍କିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।