ଜନ୍ମ ସମୟରେ ଲିଙ୍ଗାନୁପାତ ସୂଚକାଙ୍କରେ ନୂଆପଡ଼ାର ସଫଳତା: ରାଜ୍ୟରେ ଚତୁର୍ଥ ସ୍ଥାନ “ଝିଅ ପାଇଁ ଗଛଟିଏ” ଓ କଡ଼ା PC-PNDT କାର୍ଯ୍ୟାନ୍ବୟନର ସକାରାତ୍ମକ ପ୍ରଭାବ
ନୂଆପଡ଼ା, ୧୫/୦୫ ( ପରମେଶ୍ୱର ମେହେର ) : କନ୍ୟା ସୁରକ୍ଷା, ଲିଙ୍ଗ ସମତା ଓ ସୁସ୍ଥ ଲିଙ୍ଗାନୁପାତ ରକ୍ଷା ଦିଗରେ ନୂଆପଡ଼ା ଜିଲ୍ଲା ରାଜ୍ୟସ୍ତରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସମ୍ପ୍ରତି ପ୍ରକାଶିତ ଜନ୍ମ ସମୟରେ ଲିଙ୍ଗାନୁପାତ ବିକୃତି ସୂଚକାଙ୍କ (SRB Distortion Index) ରିପୋର୍ଟ ଅନୁଯାୟୀ ନୂଆପଡ଼ା ଜିଲ୍ଲା ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ଜିଲ୍ଲାର ସ୍କୋର ୧.୦୦୬ ରହିଥିବାବେଳେ ଏହାକୁ “ନିୟର ନର୍ମାଲ” ଶ୍ରେଣୀରେ ସ୍ଥାନ ଦିଆଯାଇଛି । ଏହି ଶ୍ରେଣୀରେ ରାଜ୍ୟର ୧୩ଟି ଜିଲ୍ଲା ସ୍ଥାନ ପାଇଛି ।ସେହିପରି Min-Max Normalization ଆଧାରିତ ଅନ୍ୟ ଏକ ବିଶ୍ଳେଷଣରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟର “ଟପ୍ ଟିଅର” ଜିଲ୍ଲାମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଏହି ବିଶ୍ଳେଷଣରେ ଜିଲ୍ଲାର ସ୍କୋର ୦.୭୪୬ ରହିଛି । ଉଭୟ ବିଶ୍ଳେଷଣରେ ଜିଲ୍ଲାର ଉତ୍କୃଷ୍ଟ ପ୍ରଦର୍ଶନ ଲିଙ୍ଗାନୁପାତ ସୁଧାର ଦିଗରେ ଚାଲିଥିବା ନିରନ୍ତର ପ୍ରଶାସନିକ ପ୍ରୟାସର ସଫଳ ପରିଣାମ ବୋଲି ମନେ କରାଯାଉଛି ।ଜିଲ୍ଲାରେ ସୁଧୁରୁଥିବା ଲିଙ୍ଗାନୁପାତ ପଛରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସକ୍ରିୟ ନେତୃତ୍ୱ ଓ ପ୍ରତ୍ୟକ୍ଷ ତଦାରଖକୁ ମୁଖ୍ୟ କାରଣ ଭାବେ ଦେଖାଯାଉଛି । ତାଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା “ଝିଅ ପାଇଁ ଗଛଟିଏ” ଅଭିଯାନ ଜିଲ୍ଲାରେ କନ୍ୟା ସନ୍ତାନ ପ୍ରତି ସକାରାତ୍ମକ ସାମାଜିକ ଚେତନା ସୃଷ୍ଟି କରିପାରିଛି । କନ୍ୟା ଜନ୍ମକୁ ଉତ୍ସବ ଭାବେ ପାଳନ କରିବା ସହ ପରିବେଶ ସୁରକ୍ଷାର ସନ୍ଦେଶ ମଧ୍ୟ ଏହି ଅଭିଯାନ ମାଧ୍ୟମରେ ପ୍ରଚାରିତ ହେଉଛିlଅନ୍ୟପକ୍ଷରେ,PC-PNDT Act ର କଡ଼ା କାର୍ଯ୍ୟାନ୍ବୟନ ଓ ଲିଙ୍ଗାନୁପାତ ବୃଦ୍ଧି ନେଇ ଜିଲ୍ଲାପାଳ ନିୟମିତ ଭାବେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଗୁରୁତ୍ୱ ଦେଇଆସୁଛନ୍ତି । ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର, ଅଲ୍ଟ୍ରାସାଉଣ୍ଡ ସେଣ୍ଟର ଓ ନର୍ସିଂହୋମ ପରିଦର୍ଶନ କରି ନିୟମ ପାଳନ ନିଶ୍ଚିତ କରିବା ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଚେତନ କରାଯାଉଛି । ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ତଥା ସାମାଜିକ ସଂଗଠନମାନଙ୍କ ସମନ୍ୱିତ ପ୍ରୟାସ ଫଳରେ ନୂଆପଡ଼ା ଆଜି ରାଜ୍ୟରେ ଏକ ସକାରାତ୍ମକ ଉଦାହରଣ ଭାବେ ଉଭୁକି ଆସିଛି । ସଚେତନତା, ନିୟମିତ ତଦାରଖ ଓ ପ୍ରଶାସନିକ ତତ୍ପରତା ଆଗାମୀ ଦିନରେ ଜିଲ୍ଲାକୁ ଆହୁରି ଉଚ୍ଚ ସ୍ଥାନରେ ପହଞ୍ଚାଇବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।