ପାଇଖାନା ଟାଙ୍କିରେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ୬ ମୃତ, ଜଣେ ଗୁରୁତର
କଳାହାଣ୍ଡି, ୨୬/୦୫ ( ପଦ୍ମନାଭ ନାଏକ ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରୁ ଆସିଛି ଏକ ହୃଦୟବିଦାରକ ଖବର। ପାଇଖାନା ଟାଙ୍କିର ଛାତରୁ ଖୁଣ୍ଟ କାଢ଼ିବା ବେଳେ ବିଷାକ୍ତ ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନାନୁସାରେ, ନିର୍ମାଣାଧୀନ ପାଇଖାନା ଟାଙ୍କିର ଛାତରୁ ଖୁଣ୍ଟ କାଢ଼ିବା ବେଳେ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ ପ୍ରଭାବରେ ଶ୍ରମିକମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ମୃତକମାନେ ହେଲେ ନିମାଇଁ ପାଲ, ଆକାଶ ପାଲ, ଅଦଲ ମାଝୀ, ମନୋରଞ୍ଜନ ହାତୀ, ଛନ୍ଦା ଜାଲ ଓ ବୈକୁଣ୍ଠ ଜାଲ। ଗୁରୁତର ଅବସ୍ଥାରେ ହାତୀଖୋଜ ଗାଁର ପଙ୍କଜ ପାନୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବର ପାଇ ମଦନପୁର ରାମପୁର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସହାୟତାରେ ଟାଙ୍କିର ଛାତ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ Mohan Charan Majhi ଗଭୀର ଶୋକ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହାସହ ଜିଲ୍ଲାପାଳଙ୍କ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି କୁହାଯାଇଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ନିର୍ମାଣ କାମ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ପୁଣିଥରେ ପ୍ରଶ୍ନ ଉଠିଛି।