ପ୍ରଶାସନ ନିଷ୍କ୍ରିୟ, ନିଜ ଖର୍ଚ୍ଚରେ ଘାଟି ରାସ୍ତା କାଟିଲେ ରାଜକିଶୋର, ୨୦ ଘଣ୍ଟା ଜେସିବ ଚାଲାଇ ଅରାପାଜୁ ଗ୍ରାମକୁ ଖୋଲିଲେ ଯାତାୟାତର ନୂଆ ଦ୍ୱାର
ଖଜୁରୀପଡ଼ା, ୨୩/୦୫ (ଅଚ୍ୟୁତ ଜାନୀ) : ସରକାର ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥା ସୁଧାର ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ଦାବି କରୁଥିବା ବେଳେ ଆଜି ମଧ୍ୟ ଅନେକ ଦୁର୍ଗମ ଅଞ୍ଚଳ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ ରହିଛି। ପ୍ରଶାସନିକ ଅବହେଳା ଯୋଗୁଁ ଲୋକମାନେ ନାହିଁ ନ ଥିବା ଦୁର୍ଭୋଗ ଭୋଗୁଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଅରାପାଜୁ ଗ୍ରାମରେ ଜଣେ ଯୁବକଙ୍କ ମାନବିକ ପଦକ୍ଷେପ ଏବେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମର ରାଜକିଶୋର ବଗର୍ତ୍ତି ପ୍ରଶାସନଙ୍କୁ ଅପେକ୍ଷା ନକରି ନିଜସ୍ୱ ଅର୍ଥ ବ୍ୟୟ କରି ଜେସିବ ଲଗାଇ ଦୀର୍ଘଦିନରୁ ସମସ୍ୟା ସୃଷ୍ଟି କରୁଥିବା ଘାଟି ରାସ୍ତାକୁ କାଟି ଯାତାୟାତ ସୁବିଧା ସୃଷ୍ଟି କରିଛନ୍ତି। ତାଙ୍କର ଏହି ପଦକ୍ଷେପକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଳରୁ ଭୁରିଭୁରି ପ୍ରଶଂସା କରାଯାଉଛି।ସୂଚନା ଅନୁଯାୟୀ, ଅରାପାଜୁ ଗ୍ରାମକୁ ଯିବା ମୁଖ୍ୟ ରାସ୍ତା ଦୀର୍ଘଦିନ ଧରି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିଲା। ବିଶେଷ କରି ବରଗଛ ନିକଟରେ ପ୍ରାୟ ୨୦୦ ମିଟରୁ ଉର୍ଦ୍ଧ ଥିବା ସିଧା ଘାଟି ରାସ୍ତା ଯୋଗୁଁ ଗ୍ରାମକୁ ଯାତାୟାତ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଥିଲା। ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ପହଞ୍ଚିବା ତ ଦୂରର କଥା, ଜରୁରୀ ସମୟରେ ଖାଦ୍ୟ ସାମଗ୍ରୀ କିମ୍ବା ନିର୍ମାଣ ସାମଗ୍ରୀ ଭର୍ତ୍ତି ଗାଡ଼ି ମଧ୍ୟ ଉପରକୁ ଉଠିପାରୁନଥିବା ଅଭିଯୋଗ ହେଉଥିଲା।ଏହା ଫଳରେ ଗ୍ରାମବାସୀ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଭୋଗୁଥିଲେ। ବର୍ଷାଦିନେ ପରିସ୍ଥିତି ଆହୁରି ଭୟାବହ ହୋଇଯାଉଥିଲା। ଗର୍ଭବତୀ ମହିଳା, ରୋଗୀ ଓ ବୃଦ୍ଧମାନଙ୍କୁ ହସ୍ପିଟାଲ ନେବାକୁ ଗ୍ରାମବାସୀଙ୍କୁ ବହୁ କଷ୍ଟ ସହିବାକୁ ପଡ଼ୁଥିଲା। ଗ୍ରାମବାସୀମାନେ ପୂର୍ବରୁ ଏହି ସମସ୍ୟା ନେଇ ପଞ୍ଚାୟତ ସରପଞ୍ଚ, ବିଡିଓ ଓ ଜିଲ୍ଲାପାଳଙ୍କ ନିକଟରେ ଅନେକଥର ଅଭିଯୋଗ କରିଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇ ନଥିଲା। ଶେଷରେ ପ୍ରଶାସନର ଅପେକ୍ଷା ନକରି ଗ୍ରାମର ଯୁବକ ରାଜକିଶୋର ବଗର୍ତ୍ତି ନିଜେ ଆଗକୁ ଆସିଥିଲେ। ସେ ନିଜ ଅର୍ଥରେ ଜେସିବ ଭଡା କରି ଘାଟି ରାସ୍ତା କାଟିବା କାମ ଆରମ୍ଭ କରିଥିଲେ। ଏହି କାମ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୨୦ ଘଣ୍ଟା ସମୟ ଲାଗିଥିବା ଜଣାପଡ଼ିଛି। ବର୍ତ୍ତମାନ ରାସ୍ତା କିଛି ପରିମାଣରେ ସୁଗମ ହୋଇଥିବାରୁ ଗ୍ରାମବାସୀ ଆଶ୍ୱସ୍ତ ହୋଇଛନ୍ତି। ରାଜକିଶୋରଙ୍କ ଏହି ମାନବିକ ଓ ସମାଜସେବାମୂଳକ କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ଭୁରିଭୁରି ପ୍ରଶଂସା କରିଥିବା ବେଳେ ପ୍ରଶାସନର ନିଷ୍କ୍ରିୟତାକୁ ତୀବ୍ର ନିନ୍ଦା କରିଛନ୍ତି। ସେହିପରି ଉକ୍ତ ରାସ୍ତାର ସ୍ଥାୟୀ ମରାମତି ଓ ପକ୍କା ସଡ଼କ ନିର୍ମାଣ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ଦାବି ଉଠିଛି।