ଠାକୁରାଣୀ ଯାତ୍ରାରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ; ଚହଳ ପକେଇଛି ଯାତ୍ରା ଇନ୍ଦ୍ରଭୁବନର ନାଟକ ନଅ'ଙ୍କ ଦୁର୍ଭିକ୍ଷ
ଭଞ୍ଜନଗର, ୭/୫ ( ଜୟକୃଷ ପଟନାୟକ ) : ବେଶ ଧୁମଧାମରେ ଚାଲିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା।ତେଣୁ ଚଳଚଞ୍ଚଳ ହୋଇ ଉଠିଛି ସାରା ସହର।ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ମା' ଙ୍କୁ ଦର୍ଶନ କରିବା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର ଓ ଅପେରା ଦେଖିବାର ମଜା ଉଠାଉଛନ୍ତି।ବୁଧବାର କବି ସମ୍ରାଟ ମୁକ୍ତାକାଶ ରଙ୍ଗମଞ୍ଚ ରେ କୈବଲ୍ୟ ଭଜନ ମଞ୍ଚ, ପୁରୀ ଦ୍ୱାରା ଭଜନ ପରିବେଷଣ କରାଯାଇଛି। ଏଥିରେ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର, ବସନ୍ତ ପାତ୍ର, ଦିପ୍ତିମୟୀ ଓ ଅର୍ଚ୍ଚନା ପ୍ରମୁଖ ହୃଦୟସ୍ପର୍ଶୀ ଭଜନ ପରିବେଷଣ କରିଥିଲେ। ଯାହାକି ଉପସ୍ଥିତ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ଅନ୍ୟମାନଙ୍କୁ ବେଶ ଆନନ୍ଦ ଦେଇଥିଲା।ସେହିପରି ଭଞ୍ଜନଗର ଆର ଏମ୍ ସି ପଡ଼ିଆରେ ଚାଲିଛି ଅପେରା ଇନ୍ଦ୍ରଭୁବନ।ଏହାକୁ ଦେଖିବା ପାଇଁ ପ୍ରତିଦିନ ବହୁ ଦୂରଦୂରାନ୍ତରୁ ଯାତ୍ରା ପ୍ରେମୀଙ୍କ ଭିଡ଼ ଲାଗି ରହିଛି।ବହୁ ବର୍ଷ ପୂର୍ବେ ଦୁର୍ଭିକ୍ଷ ସମୟରେ କିଭଳି ସାଧାରଣ ଲୋକମାନେ ଦିନ କାଟୁଥିଲେ,ଖାଦ୍ୟ ନପାଇ ପୋକ, ମାଛି ଭଳି ମରୁଥିଲେ। ତାରି ଭିତରେ ଦୁଇ ଜମିଦାର ନିଜ ଜିଦ୍ ରେ ଅଟଳ ରହି ପ୍ରେମୀ ଯୁଗଳ ସେମାନଙ୍କ ପୁଅ ଓ ଝିଅକୁ ଦୁରେଇ ରଖିଥିଲେ।ସେଇ ପ୍ରେମ, ବିରହ, ହସ କାନ୍ଦକୁ ନେଇ ଏକ ଭିନ୍ନ ସ୍ୱାଦର କାହାଣୀ ମାଧ୍ୟମରେ ଅନୁଷ୍ଠାନର ଶ୍ରେଷ୍ଠ ନାଟକ ନଅ' ଙ୍କ ଦୁର୍ଭିକ୍ଷ ବେଶ ଚହଳ ସୃଷ୍ଟି କରିଛି।ପ୍ରଥମ ରାତିର ସଫଳତା ପରେ ଆଜି ପୁଣି ସେଇ ନାଟକ ପରିବେଷଣ କରାଯିବ।ବିଶେଷ କରି ପାର୍ଟିରେ ଅଭିନେତା ବିନୋଦ ରାଉତ, ଅଭିନେତ୍ରୀ ବେବିନା, ହାସ୍ୟ ଅଭିନେତ୍ରୀ କଣ୍ଢେଇ, ଖଳନାୟକ ବିମଲ ନାୟକ ଓ ଅନ୍ୟ ବହୁ ପ୍ରତିଷ୍ଠିତ କଳାକାର ରହିଛନ୍ତି। ଏଥିସହ ମେଲୋଡ଼ି, ରେକର୍ଡ ଡ୍ୟାନ୍ସ, ସାଜସଜ୍ଜା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଉଛି।ଏହାପରେ ଆହୁରି ୨ଟି ଅପେରା ଆସୁଥିବାରୁ ଯାତ୍ରାପ୍ରେମୀ ମାନେ ଅଧିକ ଉତ୍ସାହିତ ଅଛନ୍ତି।