ଯୌତୁକ ଜୁଇରେ ନବ ବିବାହିତା; ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ
ଗଞ୍ଜାମ, ୦୫/୦୫ ( ଜୟକୃଷ ପଟନାୟକ ) : ନିଜ ଭବିଷ୍ୟତକୁ ନେଇ କେତେ ସୁନେଲି ସ୍ୱପ୍ନ ଦେଖିଥିଲେ ପ୍ରେମୀ ଯୁଗଳ।ଦୁହିଁଙ୍କ ମଧ୍ୟରେ ଥିଲା ଦୀର୍ଘ ୫ବର୍ଷର ପ୍ରେମ ସମ୍ପର୍କ।ତେଣୁ ଉଭୟେ ପରସ୍ପର କୁ ବେଶ ଭଲ ଭାବରେ ଜାଣି ସାରିଥିଲେ। ଗୋଟିଏ ଗ୍ରାମରେ ଦୁହିଁଙ୍କ ଘର ହୋଇଥିବାରୁ ବିବାହ ସକାଶେ ମଧ୍ୟ କୌଣସି ପ୍ରତିବନ୍ଧକ ନଥିଲା। ଆଉ ଉଭୟ ପରିବାରର ସହମତିରେ ମଧ୍ୟ ସାମାଜିକ ରୀତିନୀତି ଅନୁସାରେ ବିବାହ ମଧ୍ୟ ହେଲା। ହେଲେ ନବ ଦମ୍ପତ୍ତିଙ୍କ ଉପରେ କାହାର ନଜର ଲାଗିଗଲା। ବିବାହର ଅଢ଼େଇ ମାସ ପରେ ନିଜ ଝିଅକୁ ଯୌତୁକ ଲୋଭରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।ଏବେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି ଝିଅ ଘର ଲୋକ ଓ ଗ୍ରାମବାସୀ।ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଗୋଳନ୍ଥରା ଥାନା ଅନ୍ତର୍ଗତ କେ.ସୁବାଣି ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ସୀମାଞ୍ଚଳ ବେହେରା ଙ୍କ ଝିଅ ପଲ୍ଲବୀ ବେହେରା ଓ ସେହି ଗ୍ରାମର ରାମ ବେହେରା ଙ୍କ ପୁଅ ବନମାଳୀ ବେହେରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ଏହାଜାଣି ଉଭୟ ପରିବାର ଗତ ଫେବୃୟାରୀ ୧୯ ତାରିଖରେ ବୈଦିକ ରୀତି ନୀତି ଅନୁସାରେ ସେମାନଙ୍କ ବିବାହ ସମ୍ପନ୍ନ କରିଥିଲେ।ହେଲେ ବିବାହର କିଛି ଦିନ ହସଖୁସିରେ କଟିବା ପରେ ପତିପତ୍ନୀ ମଧ୍ୟରେ କୌଣସି କାରଣରୁ ଅସନ୍ତୋଷ ଲାଗି ରହୁଥିଲା।ଏହାପରେ ଗତ ଏପ୍ରିଲ ୨୯ ତାରିଖରେ ପଲ୍ଲବୀର ଆକସ୍ମିତ ମୃତ୍ୟୁକୁ ନେଇ ଶ୍ୱଶୁର ଘର ଲୋକ ବିରୁଦ୍ଧରେ ପଲ୍ଲବୀର ବାପଘର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରିଥିଲେ।ପଲ୍ଲବୀକୁ ବିବାହ ସମୟରେ ବିଭିନ୍ନ ଜାନି ଯୌତୁକ ଦେଇ ବିଦାୟ କରିଥିଲେ ତାର ବାପଘର ଲୋକେ। ବିବାହ ପରେ ବାରମ୍ବାର ଅତ୍ୟଧିକ ଯୌତୁକ ଦାବିରେ ପଲ୍ଲବୀକୁ ମାରପିଟ କରୁଥିଲେ ଶଶୁର ଘର ଲୋକେ।ହେଲେ ପ୍ରେମ ବିବାହ କରିଥିବାରୁ ସମସ୍ତ ନିର୍ଯ୍ୟାତନା ସହି ପଲ୍ଲବୀ କାହାକୁ କିଛି ନ କହି ଚୁପ ରହୁଥିଲେ।ଶେଷରେ ଯୌତୁକ ଜୁଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାର ଘର ଲୋକ କହିଛନ୍ତି।ଏବେ ପଲ୍ଲବୀ ହତ୍ୟା ଘଟଣା ରେ କେବଳ ତାର ସ୍ୱାମୀ ବନମାଳୀକୁ ପୋଲିସ ଗିରଫ କରିଛି। ଅନ୍ୟମାନେ ମଧ୍ୟ ଏଥିରେ ସଂପୃକ୍ତି ଥିବା ଦର୍ଶାଇ ତୁରନ୍ତ ସେମାନଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀମାନେ ଅଭିନବ ପ୍ରତିବାଦ କରିଛନ୍ତି।ଗ୍ରାମର ମହିଳା, ପୁରୁଷ ଛୋଟ ପିଲା ମାନେ ହାତରେ ଫଟୋ ଧରି ପଲ୍ଲବୀକୁ ନ୍ୟାୟ ଦାବୀରେ ଗ୍ରାମ ପରିକ୍ରମା କରିବା ପରେ ହତ୍ୟାକାରୀର କୁଶ ପୁତ୍ତଳିକା ଦାହ କରିଛନ୍ତି।ସେମାନଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳିଲେ ପୋଲିସ ଥାନା ଆଗରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।