ମାଲକାନଗିରି, ୧୨/୦୫ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତର ଧୁଙ୍ଗିଆପୁଟ ଗ୍ରାମ ନିକଟରେ ମାଂସ ପାଇଁ ଗୋ-ମାତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ବିକ୍ରି କରାଯାଉଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଏକ ମହୁଲ ଗଛ ତଳେ ଗୋବଂଶ କାଟାଯାଉଥିବାର କିଛି ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଘଟଣାରେ “ଧବା” ନାମକ ବ୍ୟକ୍ତି ଓ ତାଙ୍କ ସହଯୋଗୀମାନଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶାରେ ପ୍ରଚଳିତ “The Orissa Prevention of Cow Slaughter Act, 1960” ଅନୁଯାୟୀ ଗୋବଂଶ ହତ୍ୟା ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଥିବାବେଳେ, ଆଇନ ଉଲ୍ଲଂଘନ କରିଲେ କାରାଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି । ସେହିପରି “Prevention of Cruelty to Animals Act, 1960” ଅନୁଯାୟୀ ପଶୁଙ୍କୁ ନିର୍ଦୟ ଭାବେ ହତ୍ୟା କରିବା ଓ ନିର୍ଯାତନା ଦେବା ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇଛି । ଏହି ଘଟଣାକୁ ନେଇ ଆଜି ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶ୍ରୀ ନୀଳମଣି ପ୍ରଧାନ, ସ୍ୱାମୀ ମାଧବ ଚୈତନ୍ୟ ମହାରାଜ, ଶ୍ରୀ ପ୍ରକାଶ ପାଣିଗ୍ରାହୀ, ଶ୍ରୀ ବାଲାରାଜୁ ପାଢ଼ୀ ଓ ଶ୍ରୀ ଅଭିଜିତ୍ ମଣ୍ଡଳ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନେ ଘଟଣାର ନିଷ୍ପକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସୂଚନା ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାଥିଲି ଥାନାକୁ ଘଟଣାର ସଠିକ ତଦନ୍ତ କରି ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ସାଧାରଣ ଲୋକଙ୍କ ନଜର ଏବେ ପୁଲିସ ଓ ଜିଲ୍ଲା ପ୍ରଶାସନର ପଦକ୍ଷେପ ଉପରେ ରହିଛି । ତଦନ୍ତ ପରେ ପ୍ରଶାସନ କେମିତି କାର୍ଯ୍ୟାନୁଷ୍ଠାନ ନେବ, ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି ।.
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।
