ଶୀତଳ ଭଣ୍ଡାର ନ ଥିବାରୁ ରବି ପରିବା ଚାଷରେ କ୍ଷତି ସହୁଛନ୍ତି ଚାଷୀ।
କାଳିପଦା, ୨୭/୦୫ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅଞ୍ଚଳରେ କୌଣସି ଶୀତଳ ଭଣ୍ଡାର ନ ଥିବାରୁ ରବି ପରିବା ଚାଷରେ ବର୍ଷ ବର୍ଷ ଧରି ଚାଷୀ କ୍ଷତି ସହୁଛନ୍ତି। ସରକାରୀ ସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବା ନେଇ କୌଣସି ଯୋଜନା ନାହିଁ। ଘରୋଇ ଉଦ୍ୟମରେ ଯେଉଁ ଶୀତଳ ଭଣ୍ଡାର ହେବା କଥା ତାହା ମଧ୍ୟ ହେଉ ନାହିଁ। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।ବାଲିଆପାଳ ବ୍ଲକର ସୁବର୍ଣ୍ଣ ରେଖା ନଦୀ ଅବବାହିକା ଓ ବଙ୍ଗୋପ ସାଗର ଉପକୂଳରେ ଶୀତ ଦିନରେ ଚିନା ବାଦାମ, ଡାଲି ଜାତୀୟ ଫସଲ, କୋବି, ବିଲାତି ବାଇଗଣ,କଲରା, କଖାରୁ, ପୋଟଳ,ଶିମ୍ବ, ଆଳୁ, ପିଆଜ, ରସୁଣ ଆଦି ପ୍ରଚୁର ପରିମାଣରେ ଚାଷ ହୁଏ। ଅମଳ ସମୟରେ ଉତ୍ପାଦିତ ଫସଲ ଗୁଡିକର ମୂଲ୍ୟ ଅତି କମ ରହୁଛି। ମାର୍କେଟିଙ୍ଗର ସେମିତି କିଛି ସୁବିଧା ନାହିଁ। ଫଳରେ ଚାଷୀମାନେ ଅଭାବୀ ବିକ୍ରିର ସାମ୍ନା କରନ୍ତି। ଶୀତଳ ଭଣ୍ଡାର ଥିଲେ ଉତ୍ପାଦିତ ଶସ୍ୟ ଓ ପନିପରିବାକୁ ଚାଷୀମାନେ ସାଇତି ଅନ୍ୟ ସମୟରେ ଅଧିକ ଦରରେ ବିକ୍ରି କରି ପାରନ୍ତେ। ଫଳରେ ଚାଷୀମାନେ ଅଧିକ ଲାଭବାନ ହୋଇ ପାରନ୍ତେ। ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଯୋଗାଇବା ନେଇ କଟକଣା ଲାଗୁ କରୁଥିବା ବେଳେ ଏ ଅଞ୍ଚଳର ଚାଷୀ ମାନଙ୍କ ପାଇଁ ଶୀତଳ ଭଣ୍ଡାର ହୋଇ ପାରିଲେ ସମସ୍ୟା ଅନେକାଂଶ ସମାଧାନ ହୋଇ ପାରନ୍ତା ମନମୋହନ ବେହେରା, ଗୁଣନିଧି ବିଶ୍ୱାଳ, ଫକୀର ମୋହନ ସାହୁ, ସଦାନନ୍ଦ ଦେହୁରୀ, ସୁବ୍ରତ କୁମାର ଦେବ ଦାସ, ମନ୍ମଥ କୁମାର ପାତ୍ର, ମଦନ ମୋହନ ମହାନ୍ତି, ଗଣେଶ୍ୱର ବେହେରା, ସୁବୋଧ କୁମାର ପାତ୍ର, ସନ୍ୟାସୀ କୁମାର ପ୍ରଧାନ, ଭୀଷ୍ମ ଚରଣ ସାହୁ, ପରମାନନ୍ଦ ପଟ୍ଟାୟତ, କାଳି ଚରଣ ମୁଖି ପ୍ରମୁଖ ପ୍ରକାଶ କରିଛନ୍ତି। ସରକାର ଚାଷୀଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଲେ ଚାଷୀ ଅଧିକ ଲାଭବାନ ହୋଇ ପାରିବେ, ସରକାର ଙ୍କ ମଧ୍ୟ ରାଜସ୍ବ ବୃଦ୍ଧି ହେବ।