ଭବାନୀପାଟଣା , ୦୪/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ସମଗ୍ର ଭାରତ ବର୍ଷରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ତଥା ବିଶ୍ୱ ବ୍ରହ୍ମାଣ୍ଡର ପ୍ରଥମ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ ଇଣ୍ଡିୟାନ୍ ମିଡିଆ କଂଗ୍ରେସ୍ (ଆଇଏମ୍ସି) ଆନକୁଲ୍ୟରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଉପଦେଷ୍ଟା ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ଯାଜପୁର ସାଂସଦ ଡକ୍ଟର ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣ ମାଧ୍ୟମର ପ୍ରତିନିଧିମାନଙ୍କ ଭୂମିକା, ଦାୟିତ୍ୱ ବୋଧ ଏବଂ ସାମ୍ବାଦିକତାର ମୂଲ୍ୟବୋଧ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥି ସହିତ ସାମ୍ବାଦିକମାନଙ୍କ ସ୍ୱାଧୀନତା, ସୁରକ୍ଷା ଓ ଆର୍ଥିକ ଉନ୍ନତି ସମ୍ପର୍କରେ ଆଲୋଚନା ରଖିଥିଲେ। ଅପର ପକ୍ଷରେ ‘ନନ୍ଦୀ ଲାଇଭ୍ର’ ମୁଖ୍ୟ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ସଞ୍ଜୟ ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମ୍ବିଧାନରେ ସାମ୍ବାଦିକତାର ମୂଲ୍ୟବୋଧକୁ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହ କେବଳ ସତ୍ୟର ଅନୁସନ୍ଧାନ ଖବର କରିବା ହିଁ ସାମ୍ବାଦିକତାର ଧର୍ମ ବୋଲି ପ୍ରକାଶ କରିଥିଲେ। ଦୈନକ ‘ସମୟ’ର ମୁଖ୍ୟ ସଂପାଦକ ଗୁରୁ କଲ୍ୟାଣ ମହାପାତ୍ର ସ୍ୱତନ୍ତ୍ର ବକ୍ତାଭାବେ ଯୋଗଦାନ କରି ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ବାବଦରେ ସାରା ବିଶ୍ୱରେ ପାଳନ କରାଯାଉଥିବା ସାମ୍ବାଦିକମାନଙ୍କ ଏହି ମହାନ ଉତ୍ସବର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିବା ବେଳେ ଆଇଏମ୍ସିର ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଆଇଏମ୍ସିର ସଂକ୍ଷିପ୍ତ ବିବରଣୀ ଦେଇ ଗଣମାଧ୍ୟମର ଭୂମିକାକୁ ବର୍ଣ୍ଣନା କରିଥିଲେ ଏବଂ ୨୦୩୬ ବେଳକୁ ଗଣମାଧ୍ୟମର ରୂପରେଖାର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଉପଦେଷ୍ଟା ଡକ୍ଟର ସାମନ୍ତରାୟ ଆଇଏମ୍ସି ସଂଗଠନ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାମିଲ କରିବା ଏବଂ ସାମ୍ବାଦିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥି ମଧ୍ୟରେ ଡ. ଚିଦାତ୍ମିକା ଖଟୁଆ, ସଭାପତି ସଂଜୟ କୁମାର ଦାସ, ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ କୁମାର ଦାଶ ଓ କୋଷାଧ୍ୟକ୍ଷ ପ୍ରଶନ୍ନ ପୃଷ୍ଟି ସମତେ ଅତିଥି ମାନେ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। କଲାହାଣ୍ଡି ଜିଲ୍ଲାରୁ ସାମ୍ବାଦିକ ମନୋଜ କୁମାର ନାଏକ, ଦୀପକ ସାହୁ, ଶରତ ଚନ୍ଦ୍ର ସାହୁ ସାମ୍ବାଦିକଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କଲାହାଣ୍ଡି ଜିଲ୍ଲାର ଶିକ୍ଷକଙ୍କୁ "ଶିକ୍ଷାବିତ୍" ସମ୍ମାନ ରେ ବୈକୁଣ୍ଠ ବେମାଲ ଙ୍କୁ ସମ୍ମାନିତ କରିଥିଲେ। ଏହି ଉତ୍ସବରେ ୨୦୦ ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପରିଶେଷରେ ଜ୍ୟୋତିର୍ବିଦ ପଣ୍ଡିତ ହରସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
