ନୂଆପଡାରେ ରବି ଧାନ ଅଧିଗ୍ରହଣ ସମୀକ୍ଷା: କୌଣସି ଚାଷୀଙ୍କ ଟୋକନ ଲାପ୍ସ ନହେବା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ନୂଆପଡ଼ା, ୨୮/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଧାନ ଅଧିଗ୍ରହଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଧାନ ସଂଗ୍ରହ, ମଣ୍ଡି ପରିଚାଳନା, ଯାଞ୍ଚ ବ୍ୟବସ୍ଥା ଓ ଅବୈଧ ଧାନ ପ୍ରବେଶ ରୋକିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବର୍ତ୍ତମାନ ଜିଲ୍ଲାର ୫୧ଟି ମଣ୍ଡି ମଧ୍ୟରୁ ୨୩ଟି ମଣ୍ଡିରେ ଧାନ କ୍ରୟ କାର୍ଯ୍ୟ ଚାଲିଥିବା ବେଳେ ଅବଶିଷ୍ଟ ମଣ୍ଡିଗୁଡ଼ିକ ଆସନ୍ତା ୩୧ ମେ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି। ଚାଷୀମାନଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେଇ ସୁଚାରୁ ଭାବେ ଧାନ ସଂଗ୍ରହ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୀମାନ୍ତ ଛତ୍ତିଶଗଡ଼ ରାଜ୍ୟରୁ ଅବୈଧ ଭାବେ ଧାନ ପ୍ରବେଶ ରୋକିବା ପାଇଁ କଡ଼ା ଯାଞ୍ଚ ଓ ଏନଫୋର୍ସମେଣ୍ଟ କାର୍ଯ୍ୟକଳାପ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ରାଇସ୍ ମିଲରମାନଙ୍କୁ ତାଙ୍କ ପ୍ରତିନିଧିମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଶାସନକୁ ପ୍ରଦାନ କରିବା ପାଇଁ କୁହାଯାଇଛି। ମଣ୍ଡିଗୁଡ଼ିକରେ ସିସିଟିଭି ନଜରଦାରୀ, କଣ୍ଟ୍ରୋଲ ରୁମର କାର୍ଯ୍ୟକାରିତା ଓ ସାମଗ୍ରିକ ମନିଟରିଂ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା। ଚାଷୀମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ସ୍ପଷ୍ଟ ଭାବେ କହିଥିଲେ ଯେ କୌଣସି ଚାଷୀଙ୍କ ଟୋକନ ଲାପ୍ସ ହେବା ଉଚିତ ନୁହେଁ ଏବଂ ଧାନ ବିକ୍ରୟରେ ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପ୍ରତି ସମସ୍ତ ଅଧିକାରୀ ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ରବି ଧାନ ସଂଗ୍ରହ ଆରମ୍ଭ ହେବା ପରଠାରୁ ସୀମାନ୍ତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନଜରଦାରୀ ଜାରି ରହିଛି। ବିଭିନ୍ନ ଏନଫୋର୍ସମେଣ୍ଟ ଟିମ୍, ଆରଏମସି ଓ ପୋଲିସ ବିଭାଗର ମିଳିତ ଉଦ୍ୟମରେ ଦିନରାତି ଯାଞ୍ଚ କରାଯାଉଛି। ଏହାର ପରିଣାମ ସ୍ୱରୂପ ବର୍ତ୍ତମାନ ସୁଦ୍ଧା ଛତ୍ତିଶଗଡ଼ରୁ ଅବୈଧ ଧାନ ପ୍ରବେଶ ବେଳେ ୩ଟି ଗାଡ଼ି ସହ ୬୪୫ ବ୍ୟାଗ୍ ଧାନ ଜବତ କରାଯାଇଛି। ଜବତ ଧାନର ପରିମାଣ ୨୦୬.୫୨ କୁଇଣ୍ଟାଲ ହୋଇଥିବା ଜଣାପଡ଼ିଛି। ଏପରି ଅବୈଧ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତି ଓ ଗାଡ଼ି ମାଲିକଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଡିଆରସିଏସ୍ ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ, ନୂଆପଡ଼ା ତହସିଲଦାର ଲଳିତେନ୍ଦୁ ଦଣ୍ଡସେନା ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।