ଯୁକ୍ତ–୨ ବିଜ୍ଞାନରେ ସ୍ୱାତୀଙ୍କ ଚମକଦାର ସଫଳତା : ୫୭୧ ନମ୍ବର ରଖି ବିଂଝାରପୁର ପାଇଁ ଆଣିଲେ ଗୌରବ
ବିଂଝାରପୁର ୨୪/୦୫ (ପ୍ରଦୀପ କୁମାର ମଲ୍ଲିକ) : ଯୁକ୍ତ–୨ ବିଜ୍ଞାନ ପରୀକ୍ଷାରେ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ପଞ୍ଚାୟତର ମେଧାବୀ ଛାତ୍ରୀ ସ୍ୱାତୀ ସୁମନ ମଲ୍ଲିକ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ପରୀକ୍ଷାରେ ୫୭୧ ନମ୍ବର ରଖି ୯୫ ପ୍ରତିଶତରୁ ଅଧିକ ଅଙ୍କ ହାସଲ କରିଥିବାରୁ ସବୁଠି ପ୍ରଶଂସାର ପାତ୍ର ହୋଇଛନ୍ତି। ତାଙ୍କର ଏହି କୃତିତ୍ୱକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ବିଜେପି ନେତ୍ରୀ ବବିତା ମଲ୍ଲିକ ସ୍ୱାତୀଙ୍କ ଘରକୁ ଯାଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ସେ ସ୍ୱାତୀଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହାସହ ସେ କହିଥିଲେ ଯେ, ସ୍ୱାତୀଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ବିଞ୍ଝାରପୁର ଅଞ୍ଚଳ ପାଇଁ ଗର୍ବର ବିଷୟ। ତାଙ୍କର ଏହି କୃତିତ୍ୱ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଧିକ ପରିଶ୍ରମ ଓ ସଫଳତା ପାଇଁ ପ୍ରେରଣା ଯୋଗାଇବ। ସ୍ୱାତୀଙ୍କ ଏହି ଉଲ୍ଲେଖନୀୟ ସଫଳତାରେ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀମାନେ ମଧ୍ୟ ଗର୍ବ ଅନୁଭବ କରିଛନ୍ତି। ସ୍ୱାତୀଙ୍କ ଭବିଷ୍ୟତ ଜୀବନ ଉଜ୍ଜ୍ୱଳ ହେଉ ବୋଲି ସମସ୍ତେ ଶୁଭକାମନା ଜଣାଇଛନ୍ତି।