Hot Posts

6/recent/ticker-posts

ଶିକ୍ଷୟିତ୍ରୀ ଟିକିଲତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଶିକ୍ଷା, ସାହିତ୍ୟ, ସମାଜସେବାର ନିଆରା ସମାହାର ଟିକିଲତା

ବିଂଝାରପୁର, ୩୧|୦୫ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରମୁ ପଞ୍ଚାୟତ ସ୍ଥିତ ଚନ୍ଦ୍ରମୁ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଟିକିଲତା ବେହେରାଙ୍କ ଅବସର ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଭାବଗମ୍ଭୀର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଶିକ୍ଷକତା ଜୀବନରେ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ମାନବିକତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଥିବା ଟିକିଲତା ବେହେରାଙ୍କୁ ବିଦାୟ ଜଣାଇବା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ କୁନା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରତନଲାଲ ଭୂୟାଁ ସଭାପତିତ୍ୱ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ରବି ନାରାୟଣ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଟିକିଲତା ବେହେରାଙ୍କ ଶିକ୍ଷାଦାନ, ସାହିତ୍ୟ ସାଧନା ଓ ସାମାଜିକ ଅବଦାନ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଜୟ ଓଝା, ବସନ୍ତ କୁମାର ସାହୁ , ବ୍ରଜେଶ୍ୱରୀ ମହାନ୍ତି, ମନୋରଞ୍ଜନ ଧଳ, ସୁଶାନ୍ତ ଦାସ , ବିଶ୍ୱନାଥ ସାମଲ, ତ୍ରିଲୋଚନ ପତି, ତ୍ରୈଲୋକ୍ୟନାଥ ସାହୁ, କ୍ଷୀରୋଦ କୁମାର ମଲ୍ଲିକ, ଅକ୍ଷୟ ସେଠୀ ଓ ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ଜେନା ପ୍ରମୁଖ ଯୋଗଦେଇ ଟିକିଲତା ବେହେରାଙ୍କ କାର୍ଯ୍ୟଦକ୍ଷତା ଓ ବ୍ୟକ୍ତିତ୍ୱର ଭୂୟସୀ ପ୍ରଶଂସା କରିଥିଲେ। ବକ୍ତାମାନେ କହିଥିଲେ ଯେ, ଟିକିଲତା ବେହେରା କେବଳ ଜଣେ ଦକ୍ଷ ଶିକ୍ଷୟିତ୍ରୀ ନୁହଁନ୍ତି, ସେ ଜଣେ ସୁପରିଚିତ କବି, ଲେଖିକା ଓ ସମାଜସେବୀ ଭାବେ ମଧ୍ୟ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଶିକ୍ଷାଦାନ ଶୈଳୀ, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଓ ନୈତିକ ଶିକ୍ଷା ପ୍ରଦାନର ପ୍ରୟାସ ଅନେକ ଛାତ୍ରଛାତ୍ରୀଙ୍କ ଜୀବନକୁ ସଠିକ ଦିଗଦର୍ଶନ ଦେଇଛି। ବିଦ୍ୟାଳୟର ଉନ୍ନତି, ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସାରରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ। ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ନିଜର ସୃଜନଶୀଳ ପ୍ରତିଭାର ପରିଚୟ ଦେଇ ଅନେକ କବିତା ଓ ଲେଖା ମାଧ୍ୟମରେ ପାଠକମାନଙ୍କ ହୃଦୟ ଜିତିଛନ୍ତି। ସମାଜସେବା କ୍ଷେତ୍ରରେ ତାଙ୍କର ନିଷ୍ଠା ଓ ଜନହିତକର କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଟିକିଲତା ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟ ପରିବାର ପକ୍ଷରୁ ତାଙ୍କର କର୍ମମୟ ଜୀବନର ସଫଳତା ଓ ଅବଦାନକୁ ସ୍ମରଣ କରାଯାଇଥିଲା। ନିଜର ବିଦାୟୀ ଅଭିଭାଷଣରେ ଟିକିଲତା ବେହେରା ଦୀର୍ଘ କାର୍ଯ୍ୟଜୀବନରେ ସହଯୋଗ କରିଥିବା ସମସ୍ତ ସହକର୍ମୀ, ଅଭିଭାବକ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଅବସର ପରେ ମଧ୍ୟ ସେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ସକ୍ରିୟ ରହିବେ ବୋଲି କହିଥିଲେ। ଶେଷରେ ସଭାରେ ଉପସ୍ଥିତ ସମସ୍ତେ ଟିକିଲତା ବେହେରାଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ। ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନେକଙ୍କ ଆଖିରେ ଲୁହ ଆଣିଦେବା ସହ ଟିକିଲତା ବେହେରାଙ୍କ କର୍ମମୟ ଜୀବନ ପ୍ରତି ଗଭୀର ସମ୍ମାନ ଓ କୃତଜ୍ଞତାର ପ୍ରତିଫଳନ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ଶ୍ରୀକାନ୍ତ ମଲ୍ଲିକ, କୈଳାଶ ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ପରିଚାଳନା କରିଥିଲେ |