ମିକ୍ସଚର ମେସିନ ତଳେ ଚାପି ହୋଇଗଲେ ମିସ୍ତ୍ରୀ
ଭଞ୍ଜନଗର, ୩/୫ ( ଜୟକୃଷ୍ଣ ପଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଳିସିଙ୍ଗି ନିକଟରେ ଆଜି ଏକ ଅଘଟଣ ଘଟି ଜଣେ ଶ୍ରମିକ ନିଖୋଜ ଥିବା ଜଣାପଡିଛି।ଉକ୍ତ ରାସ୍ତା ରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଢ଼ଳେଇ କାମରେ ନିୟୋଜିତ ଏକ ମିକ୍ସଚର ମେସିନ୍ ଗାଡ଼ି ରାସ୍ତା କଡରେ ଥିବା ବେଳେ ମାଟି ଦବିଯିବା ଫଳରେ ଓଲଟି ପଡିଛି ।ଏହି ସମୟରେ ସେଠାରେ କାମ କରୁଥିବା କିଛି ଶ୍ରମିକ ଗାଡ଼ି ଧୀରେ ଧୀରେ ଦବିବା ଦେଖି ଦୌଡ଼ି ପଳେଇଥିଲେ।ଡ୍ରାଇଭର ମଧ୍ୟ ଗାଡ଼ିରୁ ଡେଇଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ହେଲେ ସେଠାରେ କାମ କରୁଥିବା ଜଣେ ମିସ୍ତ୍ରୀ କୁଆଡ଼େ ଯାଇ ନପାରି ମାଟି ତଳେ ପୋତି ହୋଇ ଯାଇଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।ଏଥିସହ ସେଠାରେ ୨ଟି ଜେସିବି ଲାଗି ଦୀର୍ଘ ସମୟ ପରେ ମାଟି ତଳୁ ଉକ୍ତ ମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି।ହେଲେ ତାଙ୍କର ପରିଚୟ ମିଳି ପାରିନାହିଁ ।ଘଟଣା ସ୍ଥଳରେ ତାର ସିଙ୍ଗ ଓ ଭଞ୍ଜନଗର ପୋଲିସ ଉପସ୍ଥିତ ରହି ତଦନ୍ତ ଚଳାଇଛି ।