ନୀଳମଣି କଲେଜରେ ଡେମୋନଷ୍ଟ୍ରେଟରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବାଲେଶ୍ୱର, ୦୪/୦୫ (ପ୍ରଭାକର ମଲ୍ଲିକ) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ କର୍ମଚାରୀ ପରିଷଦ ଆନୁକୁଲ୍ୟରେ ପଦାର୍ଥ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ବାସନ୍ତୀ ସାହୁଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବାସନ୍ତୀ ସାହୁ ୧୯୮୭ ମସିହାରୁ ୨୦୨୬ ମସିହା ପର୍ଯ୍ୟନ୍ତ ପଦାର୍ଥ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ଭାବେ ଦୀର୍ଘ ୩୯ ବର୍ଷ ନିରବଚ୍ଛିନ୍ନ ସେବା ପ୍ରଦାନ କରି ଚାକିରୀ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ସରୋଜ କୁମାର ପାଣି, ପ୍ରାଧ୍ୟାପିକା କଳ୍ପନାମଞ୍ଜରୀ ପାତ୍ର, ଅଧ୍ୟାପିକା ପିନାକ୍ଷୀ ପଣ୍ଡା, ଅଧ୍ୟାପକ ଶମ୍ଭୁନାଥ ଗିରି, ସତ୍ୟେନ୍ଦ୍ର କୁମାର ପାଲ, ବିଜୟ କୁମାର ବେହେରା, ଡ. ତପନ କୁମାର ଦାସ, ଅଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରମୁଖ ଯୋଗଦେଇ ଶ୍ରୀମତୀ ବେହେରାଙ୍କର ଚାକିରୀ ଜୀବନର ଗାଥା ଆଲୋଚନା କରିଥିଲେ । ସେ ଏକାଧାରରେ ମହାବିଦ୍ୟାଳୟର ଛାତ୍ରୀ ନିବାସର ସୁପରିଣ୍ଟେଣ୍ଡେଣ୍ଟ, କଲେଜ କ୍ୟାଲେଣ୍ଡରର ସମ୍ପାଦକ, ଯୁବ ରେଡକ୍ରସ କାଉନସେଲର, ବିଜ୍ଞାନ ପରିଷଦର ଉପସଭାପତି ଓ ଆଡମିଶନ ବିଭାଗର ସହାୟିକା ପ୍ରଭୃତି ଦାୟିତ୍ୱ ନିର୍ବାହ କରିଥିଲେ l ମହାବିଦ୍ୟାଳୟର ୨୦୦୬ ଓ ୨୦୨୪ ମସିହା ନାକ ମୂଲ୍ୟାୟନରେ ଦାୟିତ୍ୱ ନିର୍ବାହ କରି ନିଜର ସ୍ୱକୀୟ ପରିଚୟ ପ୍ରଦାନ କରିଛନ୍ତି । ଅଧ୍ୟାପକ ଲକ୍ଷୀରାମ ହାଁସଦା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁରୂପ ଭାବେ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଜୟକୃଷ୍ଣ ସାହୁ, ରମେଶ ଚନ୍ଦ୍ର ବେହେରା, ସହାୟକ ଶ୍ରୀଧର ମହାପାତ୍ର, ଛାତ୍ରଛାତ୍ରୀ ଓ ଛାତ୍ରୀନିବାସର ଅନ୍ତେବାସିନୀଙ୍କ ତରଫରୁ ବାସନ୍ତୀ ସାହୁଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମେତ ଡେମନଷ୍ଟ୍ରେଟରଙ୍କ ସ୍ୱାମୀ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା,ବନ୍ଧୁବାନ୍ଧବ, ପରିବାରବର୍ଗ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ଚନ୍ଦନ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l