Hot Posts

6/recent/ticker-posts

ମହିଳା ସଂରକ୍ଷଣ ବିଲକୁ ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭଞ୍ଜନଗର, ୧୨/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ରେ ୩୩ ଭାଗ ମହିଳା ସଂରକ୍ଷଣ ଆଇନକୁ ନେଇ କଂଗ୍ରେସ ତରଫରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସୋମବାର ଅପରାହ୍ନରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରୁ ଏହି ଶୋଭାଯାତ୍ରାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ହାତରେ ମଶାଲ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲା। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ପଶ୍ଚିମ ସଭାପତି ଦଣ୍ଡପାଣି ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ମହିଳା ସଭାନେତ୍ରୀ ଙ୍କ ସହ ସମସ୍ତ ଜିଲ୍ଲା କମିଟି କର୍ମକର୍ତ୍ତାଙ୍କ ଗହଣରେ ବହୁ ପୁରୁଷ ଓ ମହିଳା ଏହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟ ରାଜ୍ୟରେ କଂଗ୍ରେସର ବିଜୟ କୁ ଜିଲ୍ଲା କମିଟି ତରଫରୁ ସ୍ଵାଗତ କରିବା ସହ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ କରିବା ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଦରଦାମ ବୃଦ୍ଧି, ମୃତକଙ୍କ ପରିବାରକୁ ସରକାରୀ ସହାୟତା ଓ ନ୍ୟାୟ ପ୍ରଦାନ ଉପରେ ସରକାର ବିଶେଷ ଦୃଷ୍ଟି ଦେବାପାଇଁ ଦାବୀ କରିବା ସହ ସରକାରଙ୍କ ଅପାରଗତାକୁ ନେଇ ଜନସାଧାରଣଙ୍କୁ ସଚେତନ କରିବା ଏହି ଅଭିଯାନର ଲକ୍ଷ୍ୟ ଥିଲା।ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ବବି ଅନନ୍ତନାଗ ରଥ, ପ୍ରମୋଦ ଭୂୟାଁ,ବାଲ୍ୟ କୁମାର ବେହେରାଙ୍କ ସମେତ ଭଞ୍ଜନଗର, ବେଲଗୁଣ୍ଠା,ସୋରଡ଼ା, ଜଗନ୍ନାଥ ପ୍ରସାଦ, ବୁଗୁଡ଼ା, ଆସିକା, କବିସୂର୍ଯ୍ୟ ନଗର ଆଦି ଅଞ୍ଚଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।