Hot Posts

6/recent/ticker-posts

ଅବସରପ୍ରାପ୍ତ ଆୟୁର୍ବେଦିକ ଫାର୍ମାସିଷ୍ଟ ସଦାନନ୍ଦ କହଁରଙ୍କ ବିୟୋଗରେ ଶୋକର ଛାୟା

ଫୁଲବାଣୀ, ୧୨/୦୫ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ରୁଜାଙ୍ଗି (ପିଟବାରୀ) ଗ୍ରାମର ଅବସରପ୍ରାପ୍ତ ଆୟୁର୍ବେଦିକ ଫାର୍ମାସିଷ୍ଟ ତଥା କୁଇ ସମାଜର ଜଣେ ନିଷ୍ଠାବାନ ସମାଜସେବୀ ସଦାନନ୍ଦ କହଁରଙ୍କ ବିୟୋଗ ଘଟିଛି । ତାଙ୍କର ତା- ୭/୫/୨୦୨୬ ରିଖ ଗୁରୁବାର ଦିନ ରାତି ପ୍ରାୟ ୧୧ ଘଣ୍ଟିକା ସମୟରେ ଭୁବନେଶ୍ବର ସ୍ଥିତ ଘରୋଇ ମେଡିକାଲରେ ପରଲୋକ ଘଟିଥିବା ଜଣାପଡ଼ିଛି । ମୃତ୍ୟୁବେଳକୁ ସେ ୮୧ ବର୍ଷ ବୟସରେ ପ୍ରବେଶ କରିଥିଲେ । ତାଙ୍କ ବିୟୋଗରେ କୁଇ ସମାଜ ସେବା ସମିତି ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସଦାନନ୍ଦ କହଁରଙ୍କ ଜନ୍ମ ତା- ୬/୯/୧୯୪୫ ମସିହାରେ ପିତା ରାଜପତି କହଁର ଓ ମାତା ଚଉରାମତି କହଁରଙ୍କ କୋଳରେ ହୋଇଥିଲା । ଶୈଶବକାଳରୁ ସେ ଅତ୍ୟନ୍ତ ଶାନ୍ତ, ସରଳ ଓ ନମ୍ର ସ୍ୱଭାବର ଥିଲେ । ପାଠପଢ଼ା ଶେଷ କରି ଆୟୁର୍ବେଦିକ ଫାର୍ମାସିଷ୍ଟ ଭାବେ ନିଯୁକ୍ତ ହୋଇ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ସତତାର ସହ ଦାୟିତ୍ୱ ପାଳନ କରିଥିଲେ । କର୍ମଜୀବନରେ ସେ ଜଣେ ସତ୍ୟନିଷ୍ଠ, କର୍ତ୍ତବ୍ୟପରାୟଣ ଓ ଜନହିତୈଷୀ ଅଧିକାରୀ ଭାବେ ପରିଚିତ ଥିଲେ ।ଚାକିରିରୁ ଅବସର ଗ୍ରହଣ ପରେ ସେ ସାମାଜିକ କାର୍ଯ୍ୟକଳାପରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ । ବିଶେଷ କରି କୁଇ ସମାଜ ସେବା ସମିତି ଫୁଲବାଣୀ ସହ ଯୋଡ଼ି ରହି କୁଇ ସମାଜର ସଂଗଠନ, ସାମାଜିକ ଏକତା, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ନିରନ୍ତର କାର୍ଯ୍ୟ କରୁଥିଲେ । ସମାଜର ଯୁବପିଢ଼ୀଙ୍କୁ ସଂସ୍କୃତି ଓ ଶିକ୍ଷା ପ୍ରତି ସଚେତନ କରିବା ସହ ସାମାଜିକ ସମ୍ମିଳନୀ ଓ ସେବାମୂଳକ କାର୍ଯ୍ୟରେ ସେ ସଦା ସକ୍ରିୟ ଭୂମିକା ନେଇଥିଲେ ।ସ୍ୱଭାବରେ ଅତ୍ୟନ୍ତ ମିଷ୍ଟଭାଷୀ, ଭଦ୍ର ଓ ସରଳ ଥିବା ସଦାନନ୍ଦ କହଁର ସମସ୍ତଙ୍କ ନିକଟରେ ଆଦରଣୀୟ ଥିଲେ । ଗ୍ରାମର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ସହ ତାଙ୍କର ଆତ୍ମୀୟ ସମ୍ପର୍କ ରହିଥିଲା । ସେ ସଦା ସମାଜର ଭଲପାଇଁ ଚିନ୍ତା କରୁଥିଲେ ଓ ଆବଶ୍ୟକତା ସମୟରେ ଲୋକଙ୍କ ପାଖରେ ଠିଆ ହେଉଥିଲେ । ତେଣୁ ତାଙ୍କୁ କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ "ସେବାଶ୍ରୀ ସମ୍ମାନ -୨୦୨୪ "ରେ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କ ମୃତ୍ୟୁରେ ଜଣେ ଅଭିଜ୍ଞ, ନିଷ୍ଠାବାନ ଓ ସମାଜହିତୈଷୀ ବ୍ୟକ୍ତିତ୍ୱଙ୍କୁ ହରାଇଥିବା ମତ ପ୍ରକାଶ ପାଇଛି । ତାଙ୍କ ବିୟୋଗ ସମ୍ବାଦ ପ୍ରଚାର ପାଇବା ପରେ ବିଭିନ୍ନ ସମାଜସେବୀ, ବୁଦ୍ଧିଜୀବୀ, କୁଇ ସମାଜର କର୍ମକର୍ତ୍ତା ଓ ଅଞ୍ଚଳବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସମସ୍ତେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।