୧୩୨ କେଭି ବିଦ୍ୟୁତ୍ ତାର ଚୋରି, ରାଜ୍ୟର ଶକ୍ତି ସୁରକ୍ଷାକୁ ବଡ଼ ଚ୍ୟାଲେଞ୍ଜ
ନୂଆପଡା, ୨୯/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାରେ ଘଟିଥୁବା ୧୩୨ କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଲାଇନର ତାର ଚୋରି ଘଟଣା କେବଳ ଏକ ସାଧାରଣ ଚୋରି ନୁହେଁ, ଏହା ରାଜ୍ୟର ଶକ୍ତି ସୁରକ୍ଷା ବ୍ୟବସ୍ଥାକୁ ସିଧାସଳଖ ଚ୍ୟାଲେଞ୍ଜ କରିଥିବା ଏକ ଗୁରୁତର ଅପରାଧ । ନୂଆପଡ଼ା ଖଡିଆଳ ଗ୍ରିଡରୁ ଯାଇଥିବା ୧୩୨ କେଭି ଲାଇନର ପେଣ୍ଡରାବନ୍ଦ ଗାଁ ନିକଟରେ ଦୁଇଟି ଟାୱାର କାଟି ପ୍ରାୟ ଦୁଇ କିଲୋମିଟର ବିଦ୍ୟୁତ୍ ତାର ଚୋରି ହେବା ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ, ବରଂ ବିଦ୍ୟୁତ୍ ବିଭାଗର ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାର ଦୁର୍ବଳତାକୁ ମଧ୍ୟ ସାମ୍ନାକୁ ଆଣିଛି । ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଯେତେବେଳେ ଲୋକେ ଭୟଙ୍କର ତାତିରେ ଅସହ୍ୟ ଜୀବନ ଜୀବରୁଛନ୍ତି, ସେତେବେଳେ ଏପରି ଉଚ୍ଚ କ୍ଷମତାସମ୍ପନ୍ନ ଲାଇନରେ ଚୋରି ଘଟିବା ଅତ୍ୟନ୍ତ ଚିନ୍ତାଜନକ। ଏହି ଲାଇନ ମାଧ୍ୟମରେ ଜିଲ୍ଲାର ବହୁ ଅଞ୍ଚଳକୁ ବିଦ୍ୟୁତ୍ ସରବରାହ ହୋଇଥାଏ। ଯଦି ଏପରି ଘଟଣାରେ ବଡ଼ ଧରଣର ବିଦ୍ୟୁତ୍ ବିଘାତ ଘଟିଥାନ୍ତା, ତେବେ ଜନସାଧାରଣ ଅସୀମ ଦୁର୍ଭାଗର ସମ୍ମୁଖୀନ ହେଉଥାନ୍ତେ । ଏଥିରୁ ସ୍ପଷ୍ଟ ହେଉଛି ଯେ ଚୋରମାନେ ସାଧାରଣଅପରାଧୀ ନୁହେଁ; ସେମାନଙ୍କ ପାଖରେ ପ୍ରାଯୁକ୍ତିକ ଜ୍ଞାନ ଓ ପୂର୍ବ ଯୋଜନା ଥୁବାର ସନ୍ଦେହ ଜୋରଦାର ହେଉଛି ।କାରଣ, ୧୩୨ କେଭି ଲାଇନରୁ ତାର ଚୋରି କରିବା କୌଣସି ସାଧାରଣ କାମ ନୁହେଁ । ପ୍ରଥମେ ଫଲ୍ଟ ସୃଷ୍ଟି କରି ଲାଇନକୁ ବନ୍ଦ କରାଯାଇଥିବା ପରେ ଏଭଳି ଚୋରି ହୋଇଥିବା ଅନୁମାନ ହେଉଛି। ଘଟଣା ପରେ ଓପିଟିସିଏଲ୍ ବଲାଙ୍ଗୀରର ଜିଏମ, ଟିପିଡବ୍ଲୁଓଡିଏଲ୍ନୁ ନୂଆପଡ଼ା ଏସଡିଓ, ସହକାରୀ ଯନ୍ତ୍ରୀ ଓ କୋମନା ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିବା ସକାରାତ୍ମକ ପଦକ୍ଷେପ। କିନ୍ତୁ କେବଳ ତଦନ୍ତ ଆରମ୍ଭ କଲେ ହେବ ନାହିଁ; ଏହାର ମୂଳକୁ ଖୋଜି ବଡ଼ ଚକ୍ରକୁ ଧରିବା ଆବଶ୍ୟକ। ଏପରି ଘଟଣା ପଛରେ ସଂଗଠିତ ସ୍କ୍ରିପ୍ ମାଫିଆ କିମ୍ବା ଅନ୍ତଃଜିଲ୍ଲା ଚୋର ଚକ୍ର ଥିବା ସମ୍ଭାବନାକୁ ମଧ୍ୟ ଅସ୍ଵୀକାର କରାଯାଇ ପାରିବ ନାହିଁ। ଯେଉଁ ଭଳି ଭାବରେ ଟାୱାର କାଟି ତାର ନେଇଯାଇଛନ୍ତି, ତାହା ଦେଖୁ ସ୍ପଷ୍ଟ ଯେ ଏହା ପଛରେ ସୁଯୋଜିତ ଚକ୍ର କାର୍ଯ୍ୟ କରୁଛି । ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏତେ ବଡ଼ ଘଟଣା ଘଟିବା ପୂର୍ବରୁ ବିଦ୍ୟୁତ୍ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ କିପରି ଅବଗତ ହେଲେ ନାହିଁ ? ଗ୍ରିଡରୁ ଯାଇଥିବା ଏହିପରି ଉଚ୍ଚ ଶକ୍ତି ସମ୍ପନ୍ନ ଲାଇନ ଉପରେ ନିୟମିତ ପେଟ୍ରୋଲିଂ, ଡ୍ରୋନ ମନିଟରିଂ ଓ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା କେତେ ସକ୍ରିୟ ଅଛି, ତାହା ଏହି ଘଟଣା ପରେ ପ୍ରଶ୍ନବିଦ୍ଧ ହୋଇପଡ଼ିଛି। ଯଦି ଦୁଇଟି ଟାଓ୍ବାର କାଟି ପ୍ରାୟ ଦୁଇ କିଲୋମିଟର ତାର ଚୋରି ହୋଇପାରେ, ତେବେ ଭବିଷ୍ୟତରେ ଏହାଠାରୁ ଆହୁରି ବଡ଼ ଅପରାଧ ଘଟିବାର ଆଶଙ୍କା ରହିଛି। ଏହା କେବଳ ସରକାରୀ ସମ୍ପଭିର କ୍ଷତି ନୁହେଁ, ଜନସାଧାରଣଙ୍କ କର ଟଙ୍କାର ଅପଚୟ ମଧ୍ୟ । ଲକ୍ଷାଧିକ ଟଙ୍କାର ତାର ଚୋରି ହେବା ମାନେ ଶେଷରେ ସରକାରଙ୍କ ଉପରେ ଆର୍ଥିକ ଭାର ବଢ଼ିବା । ଏହା ସହିତ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ବିଘ୍ନ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ସେଥିପାଇଁ ଏପରି ଘଟଣାକୁ ସାଧାରଣ ଚୋରି ଭାବେ ନେଇ ଅବହେଳା କରିବା ଉଚିତ୍ ନୁହେଁ। ଏବେ ଆବଶ୍ୟକ ହେଉଛି କଠୋର ଓ ଦୃଢ଼ ପଦକ୍ଷେପ।