କୋରାପୁଟରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ
କୋରାପୁଟ, ୩୦/୦୫ ( ରାମ ପାଢ଼ୀ ) : କୋରାପୁଟ ମୁନିସିପାଲିଟି ଅନ୍ତର୍ଗତ ୨୦ ନମ୍ବର ୱାର୍ଡର ପାଣିଟାଙ୍କି ପଛପଟ ଅଞ୍ଚଳରେ ସରକାରୀ ଜମି ଉପରେ ଅବୈଧ ଭାବେ ନିର୍ମିତ ଘରଗୁଡ଼ିକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀମାନଙ୍କ ସହ ପୋଲିସ ବଳ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ସୁନାପୁର ପିଏଚଡି ପାଣିଟାଙ୍କି ଏବଂ କୋର୍ଟ ବାଉଣ୍ଡରୀ ନିକଟସ୍ଥ ହାଉସିଂ ବୋର୍ଡର ଜମିରେ କିଛି ବାହାର ଅଞ୍ଚଳର ଲୋକ ଅବୈଧ ଭାବେ ଘର ନିର୍ମାଣ କରି ଦଖଲ କରିଥିଲେ। ଏହି ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରାୟ ୧୦ ଦିନ ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ସୂଚନା ଦେଇଥିଲା। ତଥାପି ଦଖଲକାରୀମାନେ ସତର୍କବାଣୀକୁ ଅଣଦେଖା କରି ଜମି ଖାଲି କରିନଥିବାରୁ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଜିଲ୍ଲା ପ୍ରଶାସନ ଉଚ୍ଛେଦ ଅଭିଯାନ ଚଳାଇ ଅବୈଧ ନିର୍ମାଣଗୁଡ଼ିକୁ ହଟାଇ ଦେଇଛି। ପ୍ରଶାସନ ପକ୍ଷରୁ ସରକାରୀ ଜମି ଦଖଲ ନ କରିବା ପାଇଁ ସାଧାରଣ ଲୋକଙ୍କୁ ପୁଣିଥରେ ସଚେତନ କରାଯାଇଛି।
ରିପୋର୍ଟ: ରାମ ପାଢ଼ୀ
ସୁନାପୁର, କୋରାପୁଟ
Nabaduta News Odisha