+୨ ବିଜ୍ଞାନରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଆଦ୍ୟାଶା ଭୂୟାଁଙ୍କୁ ସମ୍ବର୍ଦ୍ଧନା
ବିଂଝାରପୁର ,୨୭|୦୫ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଗୁହାଳୀ ପଞ୍ଚାୟତର କରୁଣାଗୁହାଳୀ ଗ୍ରାମର ଛାତ୍ରୀ ଆଦ୍ୟାଶା ଭୂୟାଁ ଚଳିତ ବର୍ଷ ପ୍ରକାଶ ପାଇଥିବା +୨ ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ମୋଟ ୫୫୨ ନମ୍ବର ପାଇ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ଏହି ସଫଳତାକୁ ନେଇ ପରିବାର ଓ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଆଦ୍ୟାଶା ଯାଜପୁର ସ୍ଥିତ ଏନ.ସି କଲେଜରେ ପଢୁଥିଲେ। ନିଜର ଅଦମ୍ୟ ପରିଶ୍ରମ, ନିୟମିତ ଅଧ୍ୟୟନ ଓ ଶିକ୍ଷକମାନଙ୍କର ପରାମର୍ଶ ଫଳରେ ସେ ଏହି କୃତିତ୍ୱ ହାସଲ କରିପାରିଛନ୍ତି। ଛୋଟବେଳୁ ପାଠପଢ଼ା ପ୍ରତି ଆଗ୍ରହୀ ଥିବା ଆଦ୍ୟାଶା ସବୁବେଳେ ଶ୍ରେଣୀରେ ଭଲ ପ୍ରଦର୍ଶନ କରୁଥିବା କଥା ତାଙ୍କ ଶିକ୍ଷକମାନେ କହିଛନ୍ତି। ତାଙ୍କ ପିତା ବିପ୍ର ଚରଣ ଭୂୟାଁ ଓ ମାତା ଉଷା ରାଣୀ ଭୂୟାଁ ଝିଅର ଏହି ସଫଳତାରେ ବହୁତ ଖୁସି ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଆଦ୍ୟାଶା ଆଗାମୀ ଦିନରେ ଆହୁରି ଉଚ୍ଚ ଶିକ୍ଷା ଗ୍ରହଣ କରି ସମାଜ ପାଇଁ କିଛି ଭଲ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଦ୍ୟାଶାଙ୍କ ଏହି କୃତିତ୍ୱ ପରେ ଗ୍ରାମବାସୀ, ସାଙ୍ଗସାଥୀ, ଶିକ୍ଷକ ଓ ବିଭିନ୍ନ ଅଞ୍ଚଳର ବୁଦ୍ଧିଜୀବୀମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ଅବସରରେ ସମାଜସେବୀ ରବୀନ୍ଦ୍ର କୁମାର ପରିଡା ଛାତ୍ରୀ ଆଦ୍ୟାଶାଙ୍କ ଏହି ସଫଳତା ପରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ତାଙ୍କ ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସମାଜସେବୀ ଶ୍ରୀଯୁକ୍ତ ପରିଡା ମତ ପ୍ରକାଶ କରିଛନ୍ତି।