ନିଖିଲ ହାଡ଼ପ୍ପା ହତ୍ୟାକାଣ୍ଡରେ ୯ ଅଭିଯୁକ୍ତ ଗିରଫ, ବିହାର–ଆନ୍ଧ୍ର ପର୍ଯ୍ୟନ୍ତ ପୋଲିସର ଅପରେସନ
ରାୟଗଡା, ୧୭/୦୫ ( ଭି. ଗୌରି ଶଙ୍କର ରାଓ ) : ରାୟଗଡାର ଚର୍ଚ୍ଚିତ ନିଖିଲ ହାଡ଼ପ୍ପା ହତ୍ୟାକାଣ୍ଡ ଘଟଣାରେ ରାୟଗଡା ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାୟଗଡା ଏସପି ସ୍ୱାଥୀ ଏସ୍ କୁମାରଙ୍କ ନିର୍ଦ୍ଦେଶରେ ଗଠିତ ଏକାଧିକ ପୋଲିସ ଟିମ୍ ଓଡିଶା ସହ ବିହାର, ଝାରଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଗତ ୯ ତାରିଖ ସନ୍ଧ୍ୟାରେ ନିଖିଲ ହାଡ଼ପ୍ପାଙ୍କୁ ଉମେଶ ହିଆଲ ଓ ତାଙ୍କ ସହଯୋଗୀମାନେ ଜବରଦସ୍ତି ଗାଡ଼ିରେ ନେଇଯାଇଥିବା ଅଭିଯୋଗ ହୋଇଥିଲା। ପରେ ୧୦ ତାରିଖ ସକାଳେ ତୁମ୍ବିଗୁଡା ନିକଟ ନାଗାବଳୀ ନଦୀ କୂଳରୁ ଗୁଳିବିଦ୍ଧ ଅବସ୍ଥାରେ ନିଖିଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତରୁ ପୂର୍ବ ଶତ୍ରୁତା ଓ ଜୁଆ ମାମଲାକୁ କେନ୍ଦ୍ର କରି ହତ୍ୟା ଯୋଜନା ହୋଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଉମେଶ ଚନ୍ଦ୍ର ହିଆଲ ସହ ୩ ଜଣଙ୍କୁ ବିହାରର ଔରଙ୍ଗାବାଦରୁ, ୪ ଜଣଙ୍କୁ ବିଶାଖାପଟ୍ଟଣମରୁ, ଜଣେକୁ କେସିଙ୍ଗା ଓ ଅନ୍ୟଜଣଙ୍କୁ ରାୟଗଡାରୁ ଧରାଯାଇଛି। ପୋଲିସ ଦୁଇଟି ଗାଡ଼ି, ଗୋଟିଏ ପିସ୍ତଲ, ୧୧ଟି ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଥିବାବେଳେ ଆଉ କିଛି ଗିରଫ ହେବା ସମ୍ଭାବନା ଥିବା ପୋଲିସ ସୂଚନା ଦେଇଛି।