ନୂଆପଡାରେ ୧୦ଟି 'ହେଲମେଟ୍ ହବ୍' ଉଦଘାଟିତ: ଶତ ପ୍ରତିଶତ ହେଲମେଟ୍ ବ୍ୟବହାର ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ।
ନୂଆପଡା, ୦୬/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସଡକ ସୁରକ୍ଷା ସମିତି ଦ୍ୱାରା ଆଜି ଜିଲ୍ଲାର ୧୦ଗୋଟି ପ୍ରମୁଖ ସ୍ଥାନରେ “ହେଲମେଟ୍ ହବ୍” ଉଦଘାଟନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜିଲ୍ଲାରେ ସଡକ ସୁରକ୍ଷାକୁ ସୁଦୃଢ଼ କରିବା ଓ ଦୁର୍ଘଟଣାଜନିତ ମୃତ୍ୟୁ ଓ ଆହତ ସଂଖ୍ୟା କମାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ହେଲମେଟ୍ ହବ୍ ମାଧ୍ୟମରେ ସହଜ ଉପଲବ୍ଧତା ଓ ସଚେତନତା ବୃଦ୍ଧି ପାଇବା ସହିତ ଲୋକମାନଙ୍କୁ ହେଲମେଟ୍ ପ୍ରୟୋଗ ପ୍ରତି ଉତ୍ସାହିତ କରାଯିବ। ଜିଲ୍ଲାପାଳ ଏହି ଅବସରରେ କହିଥିଲେ ଯେ, “ସମସ୍ତଙ୍କ ସହଯୋଗ ଓ ସଚେତନତା ମାଧ୍ୟମରେ ଆମେ ନୂଆପଡାକୁ ୧୦୦% ହେଲମେଟ୍ ବ୍ୟବହାରକାରୀ ଜିଲ୍ଲାରେ ପରିଣତ କରିପାରିବୁ।” ସମସ୍ତଙ୍କ ପ୍ରୟାସ ଓ ଦାୟିତ୍ୱବୋଧ ମାଧ୍ୟମରେ ସୁରକ୍ଷିତ ନୂଆପଡା ଗଠନରେ ଏହି ଉଦ୍ୟମ ନିଶ୍ଚୟ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।